୨୨୪ ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛି କର୍ଣ୍ଣାଟକ

ହାଇଭୋଲଟେଜ ପ୍ରଚାର ପରେ ଏବେ କର୍ଣ୍ଣାଟକରେ ଅସଲ ପରୀକ୍ଷାର ସମୟ ଆସିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନୀ ମୈଦାନରେ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି । ରାଜ୍ୟର ୫,୧୦,୫୫,୧୭୨ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟ ଗ୍ରହଣ ପାଇଁ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମୁଦାୟ ୫୮,୫୪୫ ମତଦାନ କେନ୍ଦ୍ରରେ ମତଗ୍ରହଣ ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ୮.୨୧% ଭୋଟ ପଡ଼ିଥିବା ସୂଚନା ମିଳିଛି। ତେବେ କର୍ଣ୍ଣାଟକରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳୁଛି । ନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଜେଡିଏସ ମୁଖ୍ୟ ପ୍ରତିଦ୍ବନ୍ଦୀ ଦଳ ହୋଇଛନ୍ତି ।

ସେପଟେ ଆଜି ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଗଣତନ୍ତ୍ରରେ ଏହି ପର୍ବରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ବିଶେଷକରି ଯୁବକ ଓ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । କର୍ଣ୍ଣାଟକରେ ମୋଟ ୫,୧୦,୫୫,୧୭୨ ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୨,୫୮,୦୧୪୦୮ ପୁରୁଷ ଓ ୨,୫୨,୨୮,୯୨୫ ମହିଳା ଅଛନ୍ତି । ଚଳିତ ଥର ରାଜ୍ୟରେ ନବାଗତ ଭୋଟରଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ସମୁଦାୟ ୧୧,୭୧,୫୫୮ ଯୁବ ଭୋଟର ଥିବାବେଳେ ୫,୭୧,୨୮୧ ଭିନ୍ନକ୍ଷମ ରହିଛନ୍ତି । ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ ୨,୬୧୫ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨,୪୩୦ ପୁରୁଷ, ୧୮୪ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ଅଛନ୍ତି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ୧.୫ ଲକ୍ଷରୁ ଅଧିକ ପୋଲିସ ଓ ସିଆରପିଏଫ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇ ମୋବାଇଲ ପାଟ୍ରାଲିଂ କରାଯାଉଛି । ସୁରକ୍ଷାରେ ପଡୋଶୀ ରାଜ୍ୟରୁ ପ୍ରାୟ ୮,୫୦୦ ପୋଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ନିର୍ବାଚନ ପ୍ରଚାରର ଅନ୍ତିମ ଦିନ ଥିଲା । ଏହି ଦିନ ମୈଦାନକୁ ଓହ୍ଲାଇଥିଲେ ସବୁ ଦଳର ହେଭିୱେଟ । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ରାଲି ଓ ରୋଡ ସୋ’ କରି ଶାସକ ଦଳକୁ ନିଶାନା କରିଥିଲେ । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଲି କରିଥିଲେ । ଚଳିତ ନିର୍ବାଚନରେ ବିଜେପି ପ୍ରଚଣ୍ଡ ଜନମତ ସହ ପୁଣିଥରେ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଉ ଥିବାବେଳେ ଜେଡିଏସ୍ ଓ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ।