ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀକୁ ନେଇ ବଡ଼ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରକୋପ ଜାରି ରହିବ। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଛି। ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ଏବଂ ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ।