OHRC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ

ଭୁବନେଶ୍ୱର: ବିଚାରପତି ଶତ୍ରୁଘନ ପୂଜାହାରୀ ଆଜି ଓଡ଼ିଶା ମାନବ ଅଧିକାର ଆୟୋଗ (OHRC)ର ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହୋଇଥିବା ବେଳେ, ମାନବ ଅଧିକାର ସୁରକ୍ଷା କ୍ଷେତ୍ରରେ ତାଙ୍କର ଅତୁଟ ନିଷ୍ଠା ଓ ଦକ୍ଷତା ଉପରେ ପୁନର୍ବାର ଆସ୍ଥା ପ୍ରକଟ କରାଯାଇଛି। ଜଣେ ପ୍ରତିଷ୍ଠିତ ନ୍ୟାୟିକ ବ୍ୟକ୍ତିତ୍ୱ ଭାବେ ଜଷ୍ଟିସ ପୂଜାହାରୀଙ୍କର ଉଚ୍ଚ ନ୍ୟାୟାଳୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ସେ ପୂର୍ବରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ସଫଳତାର ସହ କାର୍ଯ୍ୟ କରିବା ସହ ନ୍ୟାୟିକ ପ୍ରଣାଳୀର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୦ ଫେବୃଆରୀ ୨୦୨୩ରୁ ଆରମ୍ଭ ହୋଇଥିବା ତାଙ୍କର ପ୍ରଥମ କାର୍ଯ୍ୟକାଳ ବେଶ୍ ଉଲ୍ଲେଖନୀୟ ରହିଥିଲା। ସେହି ସମୟରେ ମାନବ ଅଧିକାର ଉଲ୍ଲଂଘନ ରୋକିବା, ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସମାଜର ଅବହେଳିତ ତଥା ସଂବେଦନଶୀଳ ବର୍ଗଙ୍କ ସମସ୍ୟାର ସମାଧାନ ପାଇଁ ସେ ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କର ଏହି ଦ୍ୱିତୀୟ ପାଳିରେ ଆୟୋଗର କାର୍ଯ୍ୟଧାରା ଆହୁରି ସୁଦୃଢ଼ ହେବା ସହ ଲୋକଙ୍କ ନିକଟରେ ନ୍ୟାୟ ସହଜରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି।