ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍ ଲୋଗୋ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଥିବା ବେଳେ, ଏହି ଅବସରରେ ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଛନ୍ତି । ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଇଣ୍ଡିଆ ୨୦୨୨ ଲୋଗୋ ଉନ୍ମୋଚନ ସମୟରେ ଫିଫାର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତାହା ସହ ଓଡ଼ିଶା ସରକାର ଓ କ୍ରୀଡ଼ା ବିଭାଗକୁ ମଧ୍ୟ ଫିଫା ପକ୍ଷରୁ ପ୍ରଶଂସା କରାଯାଇଥିଲା । ସେପଟେ ଆରମ୍ଭ ହୋଇଛି ସ୍କୁଲ ଫୁଟବଲ କାର୍ଣ୍ଣିଭାଲ । ୬୦ ହଜାର ସ୍କୁଲ ପିଲାଙ୍କୁ ନେଇ ଫୁଟବଲ କାର୍ଣ୍ଣିଭାଲ କରାଯାଇଛି । ପୂର୍ବରୁ ମଧ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶାରେ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଛି । ସମସ୍ତ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାର ରାଜ୍ୟର ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ମହିଳା ବିଶ୍ବକପର ଏହା ହେଉଛି ସପ୍ତମ ସଂସ୍କରଣ । ଚଳିତ ବିଶ୍ବକପର ଆୟୋଜକ ରହିଛି ଭାରତ(ଭାରତୀୟ ଫୁଟବଲ ମହାସଂଘ) । ମୋଟ ୧୬ଟି ଦେଶ ଏହି ମେଗା ବିଶ୍ବକପରେ ଅଂଶଗ୍ରହଣ କରିବେ । ଭାରତ, ଜାପାନ, ସ୍ପେନ, ଜର୍ମାନୀ, ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ, ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା, କଲମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଭଳିଦେଶର ଖେଳାଳିଙ୍କ ମଧ୍ୟରେ ହେବ ମହାଲଢେଇ । ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ଏହି ବହୁ ପ୍ରତୀକ୍ଷିତ ମହିଳା ବିଶ୍ବକପ । ଭୁବନେଶ୍ବରରେ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ୍‌ । ଆୟୋଜକ ଦେଶ ହେଇଥିବାରୁ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଟିମ ପାଖରେ ଭଲ ପ୍ରଦର୍ଶନ ସହ ଟ୍ରଫି ବିଜୟୀ ହେବାର ସମସ୍ତ ସୁଯୋଗ ରହିଛି ।