ସମ୍ବଲପୁର:ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ । ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅଧୀନସ୍ଥ ଫାସିମାଲ୍ CHC ର କନିଷ୍ଠ ସହାୟକ ତଥା ବାମରା ବ୍ଲକ୍ ଅଧୀନସ୍ଥ ଗୋବିନ୍ଦପୁର CHC ର ଭାରପ୍ରାପ୍ତ କନିଷ୍ଠ ସହାୟକ ମୀର ଇମ୍ତିୟାଜ୍ ଅଲ୍ଲୀଙ୍କୁ ୧,୧୫,୧୫,୫୩୯ ଟଙ୍କାର ସରକାରୀ ଅର୍ଥ ହରିଲୁଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରିଛି । ଓଡ଼ିଶା ଭିଜିଲାନ୍ସର ତଦନ୍ତରୁ ଜଣା ପଡିଛି ଯେ, ୨୦୨୧-୨୨ ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଫାସିମାଲ୍ CHC ରେ କାର୍ଯ୍ୟରତ ଥିବା ସମୟରେ ମୀର ଇମ୍ତିୟାଜ୍ ଅଲ୍ଲୀ ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ବକେୟା ଦରମା, ଅବ୍ୟବହୃତ ଛୁଟି ନଗଦୀକରଣ ଏବଂ ଅସ୍ଥାୟୀ ପେନ୍ସନ୍ ସମେତ ବିଭିନ୍ନ ଆର୍ଥିକ କରବାରରେ ଜାଲ୍ ଅନଲାଇନ୍ ଓ ଅଫଲାଇନ୍ ବିଲ୍ ତିଆରି କରିଥିଲେ। ଏହି ପ୍ରାପ୍ୟଗୁଡ଼ିକୁ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ନିକଟକୁ ପଠାଇବା କିମ୍ବା ସରକାରୀ ଜମାରେ ରଖିବା ପରିବର୍ତ୍ତେ, ଅଭିଯୁକ୍ତ ମୀର ଇମ୍ତିୟାଜ୍ ଅଲ୍ଲୀ ଆର୍ଥିକ ହେରଫେର କରି ସମ୍ପୂର୍ଣ୍ଣ ୭୦,୫୭,୪୫୦ ଟଙ୍କା ନିଜର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ନେଇଯାଇଥିଲେ। ସେହିପରି ଗୋବିନ୍ଦପୁର CHC ରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିବା ସମୟରେ ମଧ୍ୟ ସେ ସମାନ ଉପାୟ ଆପଣେଇ ୪୪, ୫୭, ୦୮୯ ଟଙ୍କା ଆତ୍ମସାତ୍ କରିଥିଲେ। ଏହିପରି ଭାବେ ମୀର ଇମ୍ତିୟାଜ୍ ଅଲ୍ଲୀ ମୋଟ୧, ୧୫, ୧୫, ୫୩୯ଟଙ୍କା ଆତ୍ମସାତ୍ କରିଥିଲେ ।