ଜୁଲାଇ-ସେପ୍ଟେମ୍ବର ରିପୋର୍ଟ: ୩ ତୈଳ କମ୍ପାନୀର ମୋଟ କ୍ଷତି ୨୭୪୯ କୋଟି

ନୂଆଦିଲ୍ଲୀ: ଦେଶରେ ତୈଳ ବ୍ୟବସାୟ କରୁଥିବା ତିନିଟି ସରକାରୀ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଚଳିତ ଆଥିôର୍କବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ମୋଟ ୨୭୪୯ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ଏହି କ୍ଷତି ଭରଣା କରିବାକୁ ଉକ୍ତ କମ୍ପାନୀଗୁଡିକୁ କେନ୍ଦ୍ର ସରକାର ଗତ ଅକ୍ଟୋବରରେ ୨୨ ହଜାର କୋଟି ଟଙ୍କାର ଅନୁଦାନ ଦେଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ଭଳି ପ୍ରମାଣିତ ହୋଇଛି । ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର ବୃଦ୍ଧି ସତ୍ତ୍ୱେ ଏହି ତିନିଟି କମ୍ପାନୀ ବିଗତ ଦୁଇବର୍ଷ ଧରି ଭାରତରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡର ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିବାରୁ ସେମାନଙ୍କୁ ଏଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏହି କମ୍ପାନୀଗୁଡିକ ପ୍ରତିଦିନ ତୈଳ ଦର ସଂଶୋଧନ କରିବା କଥା । ତେବେ କ୍ରମାଗତ ସାତମାସ ଧରି ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି କରାଯାଇନଥିବାରୁ ଇଣ୍ଡିଆନ ଅଏଲ ପ୍ରଥମ ତ୍ରୈମାସିକରେ ୧୯୯୫.୩ କୋଟି ଏବଂ ଦ୍ୱିତୀୟ ତ୍ରୈମାସିକରେ ୨୭୨.୩୫ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ସେହିପରି ଦ୍ୱିତୀୟ କ୍ୱାର୍ଟରରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ୨୧୭୨.୧୪ କୋଟି ଏବଂ ଭାରତ ପେଟ୍ରୋଲିୟମ ୩୦୪.୧୭ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ଏହି ତିନିଟି କମ୍ପାନୀ ଚଳିତ ଆର୍ôଥକବର୍ଷର ପ୍ରଥମ କ୍ୱାର୍ଟର (ଏପ୍ରିଲ-ଜୁନ୍‌)ରେ ମୋଟ ୨୧,୨୦୧.୧୮ କୋଟି ଟଙ୍କାର କ୍ଷତି ସହିଛନ୍ତି । କ୍ଷତି ଭରଣା କରିବାକୁ କେନ୍ଦ୍ର ସରକାର ଏହି ତିନିଟି କମ୍ପାନୀକୁ ସବ୍‌ସିଡି ପ୍ରଦାନ କରିଥିଲେ । ଜୁଲାଇ-ସେପ୍ଟେମ୍ବରରେ ଏଲ୍‌ପିଜି ସବ୍‌ସିଡି ବାବଦରେ ଇଣ୍ଡିଆନ ଅଏଲକୁ ୧୦,୮୦୦ କୋଟି ଟଙ୍କା ମିଳିଥିବାବେଳେ ହିନ୍ଦୁସ୍ଥାନ ପେଟ୍ରୋଲିୟମକୁ ୫୬୧୭ ଓ ଭାରତ ପେଟ୍ରୋଲିୟମକୁ ୫୫୮୨ କୋଟି ମିଳିଥିଲା । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରଠାରୁ ଏହି ତିନିଟି କମ୍ପାନୀ ଦେଶରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି କରିନାହାନ୍ତି । ତେଣୁ ସେମାନଙ୍କ କ୍ଷତିକୁ ଭରଣା କରିବାକୁ ଅର୍ଥ ମନ୍ତ୍ରଣାଳୟର ସହାୟତା ନିଆଯିବ ବୋଲି ପେଟ୍ରେଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରି କହିଛନ୍ତି । ବର୍ତ୍ତମାନ ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୭.୭୫ ଡଲାର ଥିବାବେଳେ ଭାରତରେ ପେଟ୍ରୋଲ ଡିଜେଲ ମୂଲ୍ୟ ଏହାଠାରୁ ଯଥେଷ୍ଟ କମ ରହିଥିବା ମନ୍ତ୍ରୀ କହିଛନ୍ତି । ଦେଖିବାକୁ ଗଲେ, ଡିଜେଲ ପ୍ରସଙ୍ଗରେ ଆନ୍ତର୍ଜାତିକ ମୂଲ୍ୟ ଓ ଭାରତୀୟ ମୂଲ୍ୟ ମଧ୍ୟରେ ଲିଟର ପିଛା ୨୭ ଟଙ୍କାର ବ୍ୟବଧାନ ରହିଛି । ତେବେ ବିଶୋଧନ ପରେ ଏହି ବ୍ୟବଧାନ ପ୍ରକୃତରେ ଲିଟର ପିଛା ୩ କିମ୍ବା ୪ ଟଙ୍କା ରହୁଥିବା କୁହାଯାଇଛି ।