ସମ୍ବଲପୁରକୁ ବଡ଼ କରିବାରେ ସାମ୍ବାଦିକ ବନ୍ଧୁମାନଙ୍କ ଗୁରୁ ଦାୟିତ୍ୱ ରହିବ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ଫେବୃୟାରୀ ୨୪ –   ସମ୍ବଲପୁରକୁ ବଡ଼ କରିବାରେ ତଥା ବିକଶିତ ସମ୍ବଲପୁର ଗଠନ ଦିଗରେ ସାମ୍ବାଦିକମାନଙ୍କ ଗୁରୁ ଦାୟିତ୍ୱ ରହିବ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲା ସାମ୍ବାଦିକ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିକାଶ, ଜନସାଧାରଣଙ୍କ ପ୍ରତି ଥିବା ସାମ୍ବାଦିକଙ୍କ ମୂଳ ଦାୟିତ୍ୱ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁରର ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ କହିଥିଲେ ସମ୍ବଲପୁରର ସ୍ଥାନ ଦେଶରେ ସ୍ୱତନ୍ତ୍ର । ହଜାର ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ ସମ୍ବଲପୁର । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ଏହି ସହରର ଐତିହ୍ୟ ଓ ଗୁରୁତ୍ୱକୁ ପ୍ରତିପାଦିତ କରୁଛି ।

ସମ୍ବଲପୁରକୁ ସ୍ୱଚ୍ଛ ରଖିବା ପାଇଁ ଆଜି  “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ସମସ୍ତେ ସାମିଲ ହେବା ଦରକାର । ଏଠାରେ ଶିକ୍ଷା, କୃଷି, କ୍ରୀଡ଼ା ଆଜି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ସମ୍ବଲପୁରର ହୀରାକୁଦ ଡ୍ୟାମ୍ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିକ ସ୍ଥାନର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ସମ୍ବଲପୁର ବଡ଼ ହେଲେ ହିଁ ଆମ  ରାଜ୍ୟ ଏବଂ ଦେଶ ବଡ଼ ହେବ । ବିକଶିତ ସମ୍ବଲପୁର ପାଇଁ ସାମ୍ବାଦିକମାନଙ୍କ ସହ ଆମେ ସମସ୍ତେ ସାମୂହିକ ଉଦ୍ୟମ କରିବା ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।