ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ବିଶ୍ୱ ଆହ୍ୱାନର ସମାଧାନ କରିବ- ଧର୍ମେନ୍ଦ୍ର ପ୍ରଧାନ

‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ମେଲବର୍ଣ୍ଣ, ଅକ୍ଟୋବର ୨୩ – ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ଦୁଇ ଦେଶର ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବ । ବିଶ୍ୱ ଆହ୍ୱାନର ସମାଧାନ ପାଇଁ ଜ୍ଞାନକୌଶଳର ଉପଯୋଗ କରିପାରିବ । ଛାତ୍ରଛାତ୍ରୀଙ୍କ ପାଇଁ ଉନୋଭେସନ ଏବଂ ଉଦ୍ୟମିତା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ । ବିଶ୍ୱ-ବନ୍ଧୁ ହିସାବରେ ଭାରତ ମାନବ କେନ୍ଦ୍ରୀତ ବିକାଶରେ ବିଶ୍ୱସ୍ତ ଅଂଶୀଦାର ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅଷ୍ଟ୍ରେଲିଆର ମେଲବର୍ଣ୍ଣଠାରେ ଆୟୋଜିତ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଶ୍ରୀ ପ୍ରଧାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୁଦୃଢ଼ ଏବଂ ବିକଶିତ ଭାଗିଦାରୀକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଏହି ଦ୍ୱିପାକ୍ଷିକ ସହଯୋଗ ଉଭୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ ହେବ । ସେ ଆହୁରି କହିଥିଲେ ଯେ ଚତୁର୍ଥ ଶିଳ୍ପ ବିପ୍ଳବରେ ଏପରି ଶିକ୍ଷା ହେବା ଆବଶ୍ୟକ, ଯେଉଁ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟାର ସୃଷ୍ଟିକର୍ତ୍ତା ଏବଂ ଓ ପରିଚାଳକ ହେବା ପାଇଁ ପ୍ରସ୍ତୁତ କରିବ । ଭାରତର ଜାତୀୟ ଶିକ୍ଷା ନୀତି ପରିବର୍ତ୍ତିତ ଚାକିରି ବଜାର ସହ ଯୋଡି ହେବା ପାଇଁ ଡିଜିଟାଲ ସାକ୍ଷରତା, ସଫ୍ଟ ସ୍କିଲ୍, କ୍ରିଟିକାଲ ଥିଙ୍କିଂ ଏବଂ ଇଣ୍ଟରଡିସିପ୍ଲିନାରୀ ଷ୍ଟଡିଜ୍ ଉପରେ ଗୁରୁତ୍ୱାରୋପ କରି ଏକ ଢାଞ୍ଚା ପ୍ରଦାନ କରିଛି । ଶିକ୍ଷା କ୍ଷେତ୍ରରେ ସହଯୋଗ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ମୂଳଦୁଆ ବୋଲି ଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ଦକ୍ଷତା ଭିତ୍ତିକ ଢାଞ୍ଚାରେ ପରିଣତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି କିପରି ଭାରତ ଶିକ୍ଷଣ ଦୃଶ୍ୟପଟ୍ଟକୁ ସମ୍ଭାବନାର ଏକ ପାଓ୍ୱାରହାଉସରେ ପରିଣତ କରିଛି, ତାହା ଉପରେ ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଭାରତ-ଅଷ୍ଟ୍ରେଲିଆର ଦୀର୍ଘମିଆଦୀ ସମ୍ପର୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତକୁ ମିଳିବାକୁ ଥିବା ଲାଭ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଭାରତରେ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠା କେବଳ ଆରମ୍ଭ ମାତ୍ର । ଏହା ଦ୍ୱାରା ଆଗାମୀ ଦିନରେ ଅନେକ ସମ୍ଭାବନା ବାସ୍ତବରେ ପ୍ରତିଫଳିତ ହେବ ।

ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଶ୍ରୀ କ୍ଲେୟାର ତାଙ୍କ ଅଭିଭାଷଣରେ କହିଥିଲେ ଆମର ଶିକ୍ଷା ବ୍ୟବସ୍ଥା ଉନ୍ନତ ହେବା ଦରକାର । ଯେଉଁ ଶିକ୍ଷା ବ୍ୟବସ୍ଥା ଜୀବନ ଠାରୁ ଅଧିକ ପରିବର୍ତ୍ତନ କରିପାରିବ । ଏହା ଦ୍ୱାରା ଦେଶ ଗୁଡ଼ିକରେ ପରିବର୍ତ୍ତନ ଆସିପାରିବ । ଭାରତର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୩୫ ସୁଦ୍ଧା ବିଶ୍ୱର ପ୍ରତି ଚାରି ଜଣଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ହାସଲ କରିଥିବା ଜଣେ ବ୍ୟକ୍ତି ଭାରତୀୟ ହେବ । ଭାରତରେ ଥିବା ଅଷ୍ଟ୍ରେଲିଆର ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତରେ ଏକ କନସୋର୍ଟିୟମ କ୍ୟାମ୍ପସ ବା ଦୁଇ ଦେଶର ମିଳିତ ସହଯୋଗରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଛଅଟି ଅଭିନବ ଗବେଷଣା ବିଶ୍ୱବିଦ୍ୟାଳୟ କରୁଥିବା କାର୍ଯ୍ୟକୁ ମଧ୍ୟ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।