ସଙ୍ଗଠିତ ହେଲା ଏବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆସନ୍ତା ବର୍ଷ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସଙ୍ଗଠିତ ହୋଇଥିଲା ଏବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ଟ୍ୱିନ୍‌ସିଟି ସମେତ ପୁରୀ, କୋରାପୁଟ ଓ ସମ୍ବଲପୁରରେ ବି ଦୃଶ୍ୟମାନ ହୋଇଥିଲା ଚନ୍ଦ୍ର ଗ୍ରହଣ । ସେହିପରି ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାର କିଛି ଅଂଶ ସହ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବି ଚନ୍ଦ୍ର ଗ୍ରହଣ ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ମୋଟ୍ ଉପରେ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା । ଭୁବନେଶ୍ୱରରେ ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା୫ରୁ ୫ଟା୧୧ମିନିଟ ଅର୍ଥାତ ୬ମିନିଟ ଏବଂ ତାପରେ ୫ଟା୧୧ଟାରୁ ୬ଟା୧୯ପର୍ଯ୍ୟନ୍ତ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା । ପଠାଣୀ ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ୨ତାରିଖରେ ଦେଖାଯିବା ସହ ଆସନ୍ତା ବର୍ଷ ମେ ୫ ଓ ଅକ୍ଟୋବର ୨୮ରେ ଆଂଶିକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ୨୦୨୩ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେବ । ରାତି ୨ଟାରେ ପରେ ଏହା ଦେଖି ହେବ । ଚନ୍ଦ୍ରଙ୍କର ମାତ୍ର ୧୦ ପ୍ରତିଶତ ଏହି ସମୟରେ ଦେଖିବାକୁ ମିଳିବ । ଯେତେବେଳେ କି ୨୦୨୫ ସେପ୍ଟେମ୍ବର ୭ ତାରିଖରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ତେବେ ସୂର୍ଯ୍ୟପରାଗ ନିମନ୍ତେ ବହୁ ଅପେକ୍ଷା କରିବାକୁ ପଡ଼ିବ । ଚନ୍ଦ୍ରଗ୍ରହଣ ପାଇଁ ଆଜି ଭୋର ୫ଟା ୫୦ରୁ ପାକ ତ୍ୟାଗ ହୋଇଥିଲା । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଓ ସନ୍ଧ୍ୟା ୬ଟା ୧୮ ମିନିଟ୍‌ରେ ସର୍ବମୋକ୍ଷ ହୋଇଥିଲା । ଗ୍ରହଣ ସର୍ବମୋକ୍ଷ ପରେ ନଦୀ, ପୁଷ୍କରିଣୀରେ ସ୍ନାନ ଓ ପୂଜାର୍ଚ୍ଚନା ପାଇଁ ଭିଡ଼ ଲାଗିଥିଲା । ସେପଟେ ଗ୍ରହଣ ସରିବା ପରେ ପୁଣି ଘରେ ଘରେ ପାକ ପ୍ରସ୍ତୁତ ସହ ମନ୍ଦିର ଗୁଡ଼ିକରେ ଦେବନୀତି ଆରମ୍ଭ ହୋଇଛି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ତେବେ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ । ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ଫଳରେ ଛାଇ ପଡ଼ିଥିବା ଚନ୍ଦ୍ରର ଅଂଶ ଦେଖାଯାଏ ନାହିଁ ।

Joined this year's last full lunar eclipse