ଯୋଗଦେଲେ ୨୦୩ ସହାୟକ ପ୍ରାଧ୍ୟାପକ: ରୋଗୀଙ୍କ ମୁହଁରେ ହସ ଫୁଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ସେବାରେ ଶୁକ୍ରବାର୨୦୩ ସହାୟକ ପ୍ରାଧ୍ୟାପକ ଯୋଗଦାନ କରିଛନ୍ତି । ଲୋକସେବା ଭବନରେ ନବନିଯୁକ୍ତଙ୍କ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ୫-ଟି ଉପକ୍ରମର ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ରୋଗୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ସର୍ବଦା ମନେ ରଖିବାକୁ ହେବ ଯେ ଆମର ସଫଳତା କେବଳ ଆମର ନୁହେଁ, ଏହା ସମାଜର ଅଟେ । ଆମର ସଫଳା ଆମ ସମାଜ ପାଇଁ ଏକ ଅବଦାନ । ଲୋକଙ୍କ ମୁହଁରେ ହସ ଫୁଟାଇବା ଆମର ନୈତିକ ଦାୟିତ୍ୱ । ଅସୁସ୍ଥ ଶିଶୁ ସୁସ୍ଥ ହେଲାପରେ ମା’ ମୁହଁର ହସ ଅପେକ୍ଷା ଆଉକିଛି ଭଲ ପୁରସ୍କାର ନାହିଁ । ଆପଣମାନଙ୍କ ଚାକିରିର ଏହା ହିଁ ବାସ୍ତବ ସନ୍ତୂଷ୍ଟି । ୫-ଟି ଉପରେ ଆଲୋକପାତ କରି ଏହା ଆପଣମାନଙ୍କ କ୍ୟାରିୟରର ଏକ ମୁଖ୍ୟ ଉପାଦାନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ସହାୟକ ପ୍ରାଧ୍ୟାପକଙ୍କୁ କହିଥିଲେ । ଏତେସଂଖ୍ୟାରେ ସହାୟକ ପ୍ରାଧ୍ୟାପକ ନିଯୁକ୍ତି ଡାକ୍ତରୀ ଶିକ୍ଷାକୁ ସୁଦୃଢ଼ କରିବା ସହ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିପାରିବ । ‘ସୁସ୍ଥ ଓଡ଼ିଶା’, ‘ସୁଖୀ ଓଡ଼ିଶା’ ଉପରେ ଆମେ ସବୁବେଳେ ଦୃଢ଼ ବିଶ୍ୱାସ କରୁ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆମ ପ୍ରଶାସନର ଏହା ହେଉଛି ମୂଳମନ୍ତ୍ର । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଲୋକଙ୍କ ପକେଟରୁ ଖର୍ଚ୍ଚ କମ୍ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସ୍ୱାସ୍ଥ୍ୟ ବିଭାଗର ବଜେଟ୍ ଆକାର ବୃଦ୍ଧି ପାଉଛି । ୨୦୧୯-୨୦ରୁ ଚଳିତ ଆର୍ôଥକ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ବଜେଟ୍ ଆକଳନ ଦୁଇଗୁଣା ହୋଇ ୧୨ ହଜାର କୋଟିରେ ପହଞ୍ଚିଛି । ଏହା ରାଜ୍ୟ ଯୋଜନାର ୬%ରୁ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ସମସ୍ତ ସରକାରୀ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ମେଡିକାଲ ଅଫିସର ଏବଂ ପ୍ରଫେସର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ପ୍ରତିମାସରେ ୭୦ ହଜାର ରୋଗୀଙ୍କୁ କ୍ୟାସଲେସ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । ଏଥିପାଇଁ ମାସିକ ୭୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । କାର୍ଯ୍ୟକ୍ରମରେ ତିନିଜଣ ସହାୟକ ପ୍ରାଧ୍ୟାପକ ଡ. ମନୋଜ ଭୂୟାଁ, ଡ. ବନ୍ଦନା ମହାପାତ୍ର ଏବଂ ଡ. ଗୋପାଳ ନାୟକ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତାକୁ ନେଇ ପ୍ରଶଂସା କରିଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ ନୂତନ ପ୍ରାଧ୍ୟାପକଙ୍କୁ ମୋ ସରକାରକୁ ଅନୁକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଦୀର୍ଘଦିନ ଧରି ରାଜ୍ୟରେ କେବଳ ୩ଟି ମେଡିକାଲ କଲେଜ ରହିଥିଲା । ଶିକ୍ଷକ ଅଭାବରୁ ଗୋଟିଏ ନୂଆ ମେଡିକାଲ କଲେଜ ହୋଇପାରୁନଥିଲା । ହେଲେ ଦିନେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ ଯେ ଡାକ୍ତରୀ ଶିକ୍ଷା ପାଇଁ ଓଡ଼ିଶା ଅପେକ୍ଷା କରି ରହିପାରିବନି । ଆଜି ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି । ଆଉ କିଛି ହେବାକୁ ଯାଉଛି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମେଡିକାଲ ଶିକ୍ଷା ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।