ଆସନ୍ତା ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ। ନିଜେ ଟୁଇଟ୍ କରି ସେ ଏହି ଘୋଷଣା କରିଛନ୍ତି ।
ନିଜ ଟୁଇଟରେ ବାଇଡେନ ଉଲ୍ଲେଖ କରିଛନ୍ତି, ‘ମୁଁ ଯେତେବେଳେ ୪ ବର୍ଷ ତଳେ ରାଷ୍ଟ୍ରପତି ପଦ ଦୌଡ଼ରେ ଥିଲି, ଆମେ ଆମେରିକାର ଆତ୍ମା ପାଇଁ ଲଢୁଥିଲୁ ଓ ଏବେ ବି ସେହି ଲଢେଇ ଜାରି ରହିଛି । ଆମେ ଅଳ୍ପରେ ସନ୍ତୁଷ୍ଟ ହେବା ନାହିଁ, ସେଥିପାଇଁ ମୁଁ ପୁନଃନିର୍ବାଚନ ଦୌଡ଼ରେ ରହିଛି । ଆସନ୍ତୁ କାମକୁ ଶେଷ କରିବା।’
ତେବେ ୮୦ ବର୍ଷୀୟ ବାଇଡେନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ବିଷୟ ସ୍ପଷ୍ଟ କରିଥିବାବେଳେ ଆମେରିକାରେ ତାଙ୍କ ପ୍ରଥମ କାର୍ଯ୍ୟକାଳକୁ ଅନେକ ସମୀକ୍ଷକ ସମାଲୋଚନା କରିଥାନ୍ତି । ତାଙ୍କ ସମୟରେ ଆଫଗାନିସ୍ତାନରୁ ହୋଇଥିବା ସୈନ୍ୟ ପ୍ରତ୍ୟାହାର, ଆମେରିକାରେ ବଢିଚାଲିଥିବା ମୁଦ୍ରାସ୍ପୀତି ଓ ବେକାରି, ଆର୍ଥିକ ମାନ୍ଦାବସ୍ଥାକୁ ଅନେକ ତାଙ୍କ ବିଫଳତା ହିସାବରେ ଦେଖିଥାନ୍ତି । ତାଙ୍କ ଅମଳରେ ସମଗ୍ର ବିଶ୍ବରେ ଆମେରିକାର କ୍ଷମତା ଓ ପ୍ରତିପତ୍ତି କମିଥିବା ଓ ଚୀନର ପ୍ରଭାବ ଆହୁରି ବଢିଥିବା ସମାଲୋଚକମାନେ ଅଭିଯୋଗ କରିଆସୁଥିବା ବେଳେ ଏସବୁ ବିଫଳତାରୁ ଉପରକୁ ଉଠି ପୁଣି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ବାଇଡେନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।