UGC ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଜେଏନୟୁ ର କୁଳପତି ଏମ ଜଗଦେଶ କୁମାର

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର (ଜେଏନୟୁ)ର କୁଳପତି ଏମ ଜଗଦେଶ କୁମାରଙ୍କୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଶୁକ୍ରବାର ଦିନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜଗଦେଶଙ୍କ କାର୍ଯ୍ୟକାଳ ସମୟରେ ଜେଏନୟୁରେ ଅନେକ ବିବାଦ ଲାଗି ରହିଥିଲା । ଗତବର୍ଷ ଜେଏନୟୁରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ବର୍ତ୍ତମାନ କାର୍ଯ୍ୟବାହକ କୁଳପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଏମ ଜଗଦେଶ କୁମାର ଙ୍କୁ ୫ ବର୍ଷ ପାଇଁ ଉଚ୍ଚଶିକ୍ଷା ନିୟାମକଙ୍କ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି “ଜଗଦେଶ କୁମାରଙ୍କୁ ୟୁଜିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି” । ପ୍ରଫେସର ଜିସି ସିଂହଙ୍କର ୬୫ ବର୍ଷ ବୟସ ହୋଇଥିବାରୁ ସେ ୟୁଜିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା। ୨୦୧୮ରେ ଜିସି ସିଂହ ୟୁଜିସିର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ । ଏବେ ଉଚ୍ଚଶିକ୍ଷା ନିୟାମକର ଅଧ୍ୟକ୍ଷ ପଦ ମଧ୍ୟ ଖାଲି ରହିଛି।

ଜଗଦେଶ କୁମାରଙ୍କୁ ଜାନୁଆରୀ ୨୦୧୬ରେ ଜେଏନୟୁର କୁଳପତି ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନିଯୁକ୍ତିର ଠିକ୍ ଗୋଟିଏ ସପ୍ତାହ ପରେ ସେ ଉପ-କୁଳପତି ଭାବରେ ପ୍ରଥମ ଥର ପାଇଁ ବିବାଦର ସମ୍ମୁଖୀନ ହୋଇଥିଲେ ଯେତେବେଳେ ଛାତ୍ରମାନେ ସଂସଦ ଭବନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଫଜାଲ ଗୁରୁଙ୍କ ଫାଶୀ ବିରୋଧରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ଜେଏନୟୁରେ ଏମ ଜଗଦେଶ କୁମାରଙ୍କ ସ୍ଥାନ କିଏ ଗ୍ରହଣ କରିବେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ତାହା ସ୍ଥିର କରିନାହିଁ। ଏମ ଜଗଦେଶ କୁମାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ମାଡ୍ରାସରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଏମଏସ ଓ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

Comments (0)
Add Comment