ଝାରସୁଗୁଡାରେ ‘ଉଡ଼ାନ ଦିବସ’ ପାଳିତ ,ପୁରୀରେ ହେବ ଗ୍ରୀନ ଫିଲଡ ବିମାନ ବନ୍ଦର :ଜ୍ୟୋତିରାଦିତ୍ୟ ସିନ୍ଧିଆ

ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍‌ଡ ଏୟାରପୋର୍ଟ। ଝାରସୁଗୁଡ଼ାରେ ଆଜି ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କହିଛନ୍ତି, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାନୁସାରେ ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ଉଡ଼ାନ ଦିବସ। ଏଥରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେଇଥିଲେ। ତାଙ୍କ ଅଭିଭାଷଣ ଆରମ୍ଭ ରେ ସେ ‘ନମସ୍କାର ଓଡିଶା’ ଏବଂ ‘ନମସ୍କାର ଝାରସୁଗଡା’ ବୋଲି ସମ୍ବୋଧନ କରିଥିଲେ ଏହା ସହିତ ଝାରସୁଗୁଡ଼ାବାସୀଙ୍କୁ ପଚାରିଥିଲେ ‘କେମିତି ଅଛ’ I ଓଡ଼ିଆ କହି ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ସିନ୍ଧିଆ । ଉଡାଣ ଯୋଜନା ଆରମ୍ଭ ହେବା ପରେ ଦେଶର ଝାରସୁଗୁଡ଼ା ଓ ଦରଭଙ୍ଗା ବିମାନ ବନ୍ଦର ଦୁଇଟି ବିମାନ ବନ୍ଦର ସର୍ବ ଶ୍ରେଷ୍ଠ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ । ଆଜି ଝାରସୁଗୁଡାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଥିଲେ ଯେ, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ମାତ୍ର ୩୪ ବିମାନବନ୍ଦର ରହିଥିଲା । ଯାହା ଏବେ ସୁଦ୍ଧା ୧୩୬ରେ ପହଞ୍ଚିଛି । ଆଗାମୀ ଦିନରେ ରେକର୍ଡ ସଂଖ୍ୟକ ବିମାନ ବନ୍ଦର ଠିଆ ହେବ ବୋଲି ସେ କହିଛନ୍ତି ।

ଏହା ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଜୟପୁର ଓ ଉତ୍କେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଗାଯୋଗ ସ୍କିମ୍‌ (ଆର୍‌ସିଏସ୍)ର ଉଡ଼ାନ ଯୋଜନାରେ ଆରମ୍ଭ ହୋଇଥିବା ଦେଶର ୫୩ଟି ଆରସିଏସ୍‌ ବିମାନ ବନ୍ଦର ମଧ୍ୟରୁ ଝାରସୁଗୁଡ଼ା ବିମାନ ବନ୍ଦର ଅନ୍ୟତମ। ଏଥି ସହିତ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ ଯେ, ଏହି ବିମାନବନ୍ଦରକୁ ସମସ୍ତେ ଭି.ଏସ.ଏସ.ବିମାନ ବନ୍ଦର କହୁଛନ୍ତି । ଏଣୁ ସେ ହାତ ଯୋଡି ଅନୁରୋଧ କରିଥିଲେ, ଯେ ଏଣିକି ଏହି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ବୋଲି ସମ୍ବୋଧନ କରାଯାଉ । ଏହା ସେ ମହାନ୍ ବିପ୍ଲବୀଙ୍କ ଲାଗି ଆମର ଶ୍ରଦ୍ଧାଞ୍ଜଳି ହେବ ।

ଆଜି ଉତ୍ସବରେ ଅନ୍ୟତମ ଅତିଥିଭାବେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବିମାନ ଚଳାଚଳ ମନ୍ତ୍ରଣାଳୟ ଲୟ ଯୁଗ୍ମ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment