ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ପରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଆଜି ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ରାଜ୍ୟପାଳ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡ଼ିଜିଙ୍କ ସହ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଅତିରିକ୍ତ ୭ ହଜାର ପୁଲିସ ମୁତୟନ କରାଯାଇଛି। ରାଞ୍ଚି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟପାଳ ଭବନ ଓ ଇଡି କାର୍ଯ୍ୟାଳୟ କ୍ଷେତ୍ରରେ ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଦିଲ୍ଲୀ ବାସଭବନରୁ ୩୬ ଲକ୍ଷ ଟଙ୍କା, ଗୋଟିଏ ଏସ୍ୟୁଭି ଓ କେତେକ ସନ୍ଦେହଜନକ ଦସ୍ତାବିଜ ପାଇଛି।