ପ୍ରତି ପଞ୍ଚାୟତରେ ହବ ‘ଜନକଲ୍ୟାଣ ଶିବିର’, ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏହି ଜନକଲ୍ୟାଣ ଶିବିର ଆୟୋଜିତ ହେବ। ଏହା ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ସରକାରୀ ଯୋଜନାର ସଚେତନତା, ହିତାଧିକାରୀ ଚିହ୍ନଟ, ପଞ୍ଜୀକରଣ, ଅଭିଯୋଗ ଗ୍ରହଣ ଏବଂ ସୁବିଧା ବଣ୍ଟନକୁ ଏକ ମଞ୍ଚରେ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସାଧାରଣତଃ ତିନି ଦିନ ଧରି ଏହି ଶିବିର ଚାଲିବ। ପ୍ରଥମ ଦିନରେ ଜନକଲ୍ୟାଣ ଶିବିରର ଉଦଘାଟନ ସହ ହିତାଧିକାରୀ ସହାୟତା ଶିବିର ଆୟୋଜନ କରାଯିବ। ଏଥିରେ ଲୋକଙ୍କ ପଞ୍ଜୀକରଣ, ଦସ୍ତାବିଜ ଯାଞ୍ଚ, ତଥ୍ୟ ସଂଶୋଧନ, ଇ-କେୱାଇସି ବିଭିନ୍ନ ଯୋଜନାରେ ସାମିଲ ହେବାର ସୁବିଧା ଉପଲବ୍ଧ ହେବ। ଜନସାଧାରଣଙ୍କ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ ପାଇଁ ସ୍ୱତନ୍ତ୍ର ‘ଗ୍ରିଭାନ୍ସ କଲେକ୍ସନ ବକ୍ସ’ ମଧ୍ୟ ରଖାଯିବ। ଦ୍ୱିତୀୟ ଦିନରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବେୟା ବନ୍ଦନା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମଧୁ ବାବୁ ପେନ୍ସନ ଯୋଜନା, ମାଧୋସିଂହ ହାତଖର୍ଚ୍ଚ ଯୋଜନା, ସୁଭଦ୍ରା ଯୋଜନା, ପିଏମ୍ ସ୍ୱନିଧି, ଲକ୍ଷପତି ଦିଦି, ପିଏମ୍ ସୂର୍ୟ୍ୟଘର ମାଗଣା ବିଦ୍ୟୁତ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ବସୁନ୍ଧରା ଯୋଜନା ଅଧୀନରେ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ପ୍ରଦାନ, ଶ୍ରମିକ କାର୍ଡ, ସିଏମ୍-କିଷାନ ସମେତ ଅନ୍ୟାନ୍ୟ ଯୋଜନାର ସୁବିଧା ପ୍ରଦାନ କରାଯିବ। ତୃତୀୟ ଦିନ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ମହିଳାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ଜୀବିକା ବିକାଶ, ଶିଶୁ ବିକାଶ ଓ ସରକାରୀ ଯୋଜନାର ସଫଳତା ଉପରେ ଆଲୋଚନା ହେବ। ଏହାସହ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ଅଭିଯାନ ଚାଲିବ ଏବଂ ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପରିବେଶ ଗଠନରେ ସାମିଲ କରାଯିବ। ଏହି କାର୍ୟ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳଙ୍କୁ ସାମଗ୍ରିକ ଦାୟିତ୍ୱ ଦିଆଯାଇଛି। ବ୍ଲକ୍ ସ୍ତରରେ ବିଡିଓ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଜିପିଇଓ, ଏକ୍ସଟେନ୍ସନ ଅଫିସର ଓ ଜିଆରଏସମାନେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ।