ଜାମ୍ମୁ -କାଶ୍ମୀର :୨୪ ଘଣ୍ଟା ମଧ୍ୟରେ ୨ୟ ବସ ଦୁର୍ଘଟଣା : ୭ ମୃତ,୧୨ ଆହତ

ଜମ୍ମୁ-କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଯାଇଛି । ରଜୌରୀରେ ଏକ ବସ୍‍ ଖାଇକୁ ଖସି ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ ଜଣରୁ ଉର୍ଧ୍ଵ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ପାଇବା ମାତ୍ରେ ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବସ୍‌ଟି ପୁଞ୍ଚରୁ ଜାମ୍ମୁକୁ ଯାଉଥିଲା ।

ସୂଚନାନୁସାରେ ଗତକାଲି ଜମ୍ମୁ-କାଶ୍ମୀରର ପୂଞ୍ଚ ଜିଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଥିଲା। ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଯାତ୍ରୀବାହୀ ବସ ଖାତକୁ ଖସିପଡ଼ିଥିଲା। ଏଥିରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ । ତେବେ ମୃତକଙ୍କ ମଧ୍ୟରେ ତିନିଜଣ ସ୍କୁଲ ଛାତ୍ର ଏବଂ ଚାରିଜଣ ମହିଳା ଥିଲେ । ଏହି ଦୁର୍ଘଟଣାରେ ଦଶ ଜଣ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ ନିୟମକୁ ଅବମାନନା କରି ଏହି ବସ୍‌ରେ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ । ୨୪ ସିଟ୍ ବିଶିଷ୍ଟ ଏହି ବସରେ ପ୍ରାୟ ୪୦ ଜଣ ଲୋକ ଥିଲେ ।
ବୁଧବାର ହୋଇଥିବା ଏହି ସଡ଼କ ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥି ସହିତ ଉପ ରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।