ପୂର୍ବତନ ସାଂସଦ ଜୟରାମ ପାଙ୍ଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ହାଇଦ୍ରାବାଦ୍ଠାରେ ସାକ୍ଷାତ କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ(ଫେସବୁକ୍)ରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାଙ୍କର ଏହି ପୋଷ୍ଟ ଓ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଉଷ୍ମତା ଦେଖା ଦେଇଛି। କାରଣ ନିକଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଫେରିଥିଲେ। ଦକ୍ଷିଣ ଓଡ଼ିଶାର ଜଣଙ୍କ ପରେ ଜଣେ ଆଦିବାସୀ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ନାନା ଆଲୋଚନା ହେଉଛି। ଏହି ତୁଙ୍ଗ ନେତାମାନେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ( ଭାରତ ରାଷ୍ଟ୍ର ସମିତି)ରେ ସାମିଲ ହୋଇପାରନ୍ତି
ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ତେବେ ଏଭଳି ଚର୍ଚ୍ଚାକୁ ଜୟରାମ ଖଣ୍ଡନ କରିଛନ୍ତି। ନିମନ୍ତ୍ରଣ ପାଇ ସେ ଆସିଥିଲେ। ତେଲେଙ୍ଗା ଦଳରେ ଯୋଗ ଦେବେ ନାଁ ନାହିଁ ତାହା ସମୟ କହିବ ବୋଲି ଅତି ଚାଲାକର ସହିତ ସେ ଗଣମାଧ୍ୟମକୁ କହିଥିଲେ। ଅନ୍ୟପକ୍ଷରେ ଆଗକୁ ଓଡ଼ିଶାରେ ସାଧାରଣ ନିର୍ବାଚନ ଥିବାରୁ ଏହି ଦୁଇ ନେତାଙ୍କ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପଛରେ ଏକ ବଡ ଉଦ୍ଦେଶ୍ୟ ଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସଂପ୍ରଦାୟ ବସବାସ କରୁଥିବାରୁ ସେମାନଙ୍କୁ ନେଇ ସଙ୍ଗଠନ ଆରମ୍ଭ କରିବାକୁ କେସିଆର ଗୋଟି ଚଳାଇବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଆଦିବାସୀ ନେତାଙ୍କୁ ଦାୟିତ୍ଵ ଦେଇ ସେ ଓଡ଼ିଶାରେ ମଧ୍ୟ ରାଜନୀତି କରିବାକୁ ମନ ବଳାଉଥିବା କୁହାଯାଉଛି।