ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ

ଭୁବନେଶ୍ବର: ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ । ସମୟ ଗଡୁଛି, ଭକ୍ତଙ୍କ ଗହଳି ମଧ୍ୟ ବଢୁଛି । ଧିରେ ଧିରେ ଜନସମୁଦ୍ର ହେଉଛି ବଡଦାଣ୍ଡ । ନୀତିନିର୍ଘଣ୍ଟ ଅନୁସାରେ, ଜାରି ରହିଛି ପ୍ରାକ-ପହଣ୍ଡି ନୀତିକାନ୍ତି । ଆଜ୍ଞାମାଳ ବିଜେ ପରେ ରଥ ପ୍ରତିଷ୍ଠା ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ତିନିଠାକୁର ଓ ପାର୍ଶ୍ବଦେବତା । ସକାଳୁ ବଡଦାଣ୍ଡରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । କିଏ ନାମ ସଂକୀର୍ତ୍ତନ ତ ଆଉ କିଏ ପାରମ୍ପରିକ ନୃତ୍ୟରେ ମହାପ୍ରଭୁଙ୍କ ପ୍ରତି ଭାବ ବ୍ୟକ୍ତ କରୁଛନ୍ତି । ବର୍ଷକରେ ଥରେ ଏହି ପାବନ ପର୍ବରେ କଳା ପ୍ରଦର୍ଶନର ସୌଭାଗ୍ୟ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ବର୍ଷକ ଥରେ ନବଦିନାତ୍ମକ ଯାତ୍ରା କରିବେ ଦାରୁଦିଆ । କାଳିଆ ବସିବ ନନ୍ଦିଘୋଷରେ । ବଳିଆ ବସିବ ତାଳଧ୍ବଜରେ ଓ ସୁଭଦ୍ରା ବସିବେ ଦର୍ପଦଳନ ରଥରେ । ରଥାରୁଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ ତିନି ଠାକୁର । ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଗଡିବ ରଥ । ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନେବେ ଭକ୍ତ । ଘଣ୍ଟଘଣ୍ଟା ଶଙ୍ଖନାଦରେ ଝୁଲି ଝୁଲି ଆସି ରଥରେ ବସିବେ ଶ୍ରୀଜିଉ । ଅପେକ୍ଷା ସେହି ଦିବ୍ୟ ମୁହୁର୍ତ୍ତକୁ । ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । କାଳିଆକି ଚର୍ମଚକ୍ଷୁରେ ଦେଖି କୃତ୍ୟକୃତ୍ୟ ହେବେ ଭକ୍ତ ଗଣ । ଆଉ କିଛି ସମୟ ପରେ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର। ପୁଣିଥରେ ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।