‘ଜଗୁ ଲୋହାର’ ୧୪ ବର୍ଷ ଧରି ତିଆରି କରୁଛନ୍ତି ରଥ ର ବ୍ରେକ

ସ୍ନାନ ପୁର୍ଣିମା ଠାରୁ ଜ୍ବରରେ କମ୍ପିତ ହୋଇ ମହାପ୍ରଭୁ ଅଣସର ଘରେ ରହି ଚିକିତ୍ସିତ ହେଉଛନ୍ତି I ବର୍ତ୍ତମାନ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା କୁ ଆଉ ମାତ୍ର ଦିନ କେଇଟା ରହିଛି I ଗତ କାଲି ଦ୍ୱାଦଶୀ ତିଥି ଠାରୁ ତିନି ଦିଅଁ ସୁସ୍ଥ ହେବା ଖବର ମହାରାଜା ଙ୍କୁ ଅବଗତ କରାଯାଇଛି I ଆଜି ତ୍ରୟୋଦଶୀ ତିଥି ରେ ତିନି ଦିଅଁ ଙ୍କୁ ଖଳି ଲାଗି କରାଯାଇଛି I ଏହାପରେ ନବ ଯୌବନ ବେଶ ପରେ ମହାପ୍ରଭୁ ଜଗନ୍ନଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ନେଇ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ରେ ମାଉସୀ ବାଡ଼ି କୁ ବାହାରି ଯିବେ I ତିନି ଦିଅଁ ଙ୍କ ପାଇଁ ବଡ଼ ଦାଣ୍ଡରେ ତିନି ରଥ ସୁସଜ୍ଜିତ ହୋଇ ପ୍ରସ୍ତୁତ ହେଲେଣି I ରଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି ମହାରଣା ସେବାୟତ ମାନେ I ତେବେ ରଥ ରେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ରଥର ବ୍ରେକ I କାରଣ ବ୍ରେକ ନ ଧରିଲେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ରଥଯାତ୍ରା କରିବା ଅସମ୍ଭବ। ଏହି ରଥ ବ୍ରେକ୍‌ର ବିନ୍ଧାଣି ଜଗୁ ଲୁହାର। ଗତ ୧୪ ବର୍ଷ ହେବ ରଥ ବ୍ରେକ୍ ତିଆରି କରିବା ଦାୟିତ୍ୱରେ ସେ ଅଛନ୍ତି। ଏବେ ତାଙ୍କ କମାରଶାଳ ପୂରା ଚଳଚଞ୍ଚଳ। କାରଣ ଆସନ୍ତା ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ।

ଏନେଇ ଜଗୁ ଲୁହାର କହିଛନ୍ତି, ଏମ୍‌ସିଏଲ୍‌ର ଜଣେ ଯନ୍ତ୍ରୀ ଅଶ୍ୱିନୀ ମିଶ୍ର ୨୦୦୮ ମସିହାରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ରଥଯାତ୍ରାରେ ରଥ ରହିବାରେ ହେଉଥିବା ଅସୁବିଧା ସମ୍ପର୍କରେ ପ୍ରକାଶ କରି ଏହାର ସମାଧାନ ଲୋଡ଼ିଥିଲେ। ଯାହା ପରେ ସେ ରଥ ଆଗରେ ଏକ କାଠ ଗଣ୍ଡିକୁ ସାଇଜ୍ କରି ବାନ୍ଧି ଏଥିରେ ରବର ବେଲ୍ଟ କିମ୍ବା ପିଭିସି ବେଲ୍ଟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲି। ଏହି ବେଲ୍ଟ ବିଶେଷ ଭାବେ ମେସିନ୍‌ରେ ବ୍ୟବହାର ହୁଏ। ଏହାକୁ ସଂଗ୍ରହ କରିବା ପରେ ୨୦୦୮ ମସିହାରେ ପ୍ରଥମଥର ପାଇଁ ପୁରୀ ନେଇ ଯାଇଥିଲେ। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅନୁମତି ନେଇ ରଥବ୍ରେକ୍‌ରେ ବ୍ୟବହାର କରାଗଲା। ଏହି ବ୍ରେକ୍‌ ସମ୍ପୂର୍ଣ୍ଣ ଭାବେ ସଫଳତାର ସହ କାମ କରିବା ନିମନ୍ତେ ପ୍ରାୟ ୫ ବର୍ଷ ଲାଗି ଯାଇଥିଲା। ଏବେ ଶତପ୍ରତିଶତ ସଫଳ ଭାବେ ଏହି ଜ୍ଞାନକୌଶଳରେ ତିଆରି ବ୍ରେକ୍ କାମ କରୁଛି। ରଥ ଠିକ୍ ଭାବେ ନିୟନ୍ତ୍ରିତ ହୋଇପାରୁଛି। କାଠ ଲମ୍ବା ଓ ଚଉଡ଼ା ଅନୁସାରେ ଏହା ଉପରେ ଲାଇଲନ କଭର ଲାଗୁଛି। ବ୍ରେକ୍ ଉପରେ ଲାଗୁଥିବା ଲାଇଲନ କଭର ଚଉଡ଼ା ପ୍ରାୟ ସାଢ଼େ ୯ ଇଞ୍ଚ ରହୁଥିବା ବେଳେ ଲମ୍ବା ପ୍ରତ୍ୟେକ ବର୍ଷ ମାପି ଆଣିବା ପରେ ପ୍ରସ୍ତୁତ କରାଯାଇଥାଏ। ତେବେ ୩୨ରୁ ୩୮ ଇଞ୍ଚ ପର୍ଯ୍ୟନ୍ତ ଏହାର ଲମ୍ବା ରହିଥାଏ। ଏହି ବ୍ରେକ୍ ତିଆରିରେ ୩ କେଜି ଜୁକିଆ କଂଟା, ୧୫ କେଜି ଠୁରି କଣ୍ଟା ଓ ୩ କେଜି ୱାସର ଲାଗୁଛି।


ଏହି କାମ ଗତ ଅକ୍ଷୟ ତୃତୀୟା ଠାରୁ ତାଙ୍କ କମାରସାଳରେ ଆରମ୍ଭ ହୋଇଥିଲା। ତିନୋଟି ରଥ ପାଇଁ ଭିନ୍ନ ଭିନ୍ନ ତିନୋଟି ବ୍ରେକ ତିଆରି କରିଛନ୍ତି। ଆଜି ରାତ୍ରିରେ ଏହି କାରିଗର ପରିବାର ସମସ୍ତ ସାମଗ୍ରୀ ନେଇ ପୁରୀକୁ ଯିବେ ବୋଲି ପ୍ରକାଶ କରିଛନ୍ତି।