ଭିଜିଲାନ୍ସ ଜାଲରେ ITI ପ୍ରିନ୍ସିପାଲ

ବଲାଙ୍ଗୀର: ଆୟବହିର୍ଭୂତ ସମ୍ପତ୍ତି ଠାବ ଓ ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ସରକାରୀ ITI କଲେଜର ପ୍ରିନ୍ସିପାଲ ସୁରେଶ ଦଳବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏସପି ପି କେ ଦ୍ବିବେଦୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସମ୍ପୃକ୍ତ ପ୍ରିନ୍ସିପାଲଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ଥିଲା । ଏକ ସାଇବର ଅପରାଧ ମାମଲା ମଧ୍ୟ ତାଙ୍କ ନାଁରେ ତଦନ୍ତାଧୀନ ଥିବାର ସ୍ପଷ୍ଟ କରିଛନ୍ତି, ଏସପି ପି କେ ଦ୍ବିବେଦୀ ।
ସୂଚନା ଥାଉ ଯେ, ବଲାଙ୍ଗିର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା ଅସ୍ଥାୟୀ ପ୍ରଶିକ୍ଷଙ୍କ ଠାରୁ ତିରିଶ ହଜାର ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ଏସପି ପି କେ ଦ୍ବିବେଦୀ କହିଛନ୍ତି,”ବଲାଙ୍ଗିର ସରକାରୀ ଆଇଟିଆଇର ପ୍ରିନ୍ସିପାଳ ସୁରେଶ ଦଳବେହେରାଙ୍କ ନାଁରେ ପୂର୍ବରୁ ମଧ୍ୟ ଅଭିଯୋଗ ଥିଲା । ଏହି ସମୟରେ ବଲାଙ୍ଗିର ଆଇଟିଆଇ କଲେଜରେ ଥିବା ଅସ୍ଥାୟୀ ଗେଷ୍ଟ ଫେକଲ୍ଟି ଙ୍କୁ ସେ ଦରମା କରାଇ ଦେବା ନାଁରେ ୧୫ ହଜାର ଟଙ୍କା ଲେଖାଏଁ ନଅ ଜଣଙ୍କ ଠାରୁ ଏକ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । ନହେଲେ ଚକିରୀରୁ ସେମାନଙ୍କୁ ବିତାଡିତ କରିବେ ବୋଲି ଧମକ ଦେଇଥିଲେ । ଯାହା ପରେ ପୀଡ଼ିତ ସମସ୍ତେ ଭିଜିଲନ୍ସର ଆଶ୍ରୟ ନେଇଥିଲେ । ଏବଂ ଲାଞ୍ଚ ନେଉଥିବା ବେଳେ ଆମେ ପ୍ରିନ୍ସିପାଳଙ୍କୁ ଧରିଥିଲୁ । ତାଙ୍କ ଠୁ ପରବର୍ତ୍ତୀ ତଦନ୍ତ ସମୟରେ ପାଞ୍ଚ ଲକ୍ଷ ୧୬ ହଜାର ଟଙ୍କା ନଗଦ, ସୁନା ଅଳଙ୍କାର ୨୬୩ ଗ୍ରାମ, ରୁପା ଅଳଙ୍କାର ଅଢ଼େଇ କେଜି ଓ ବହୁ ମୂଲ୍ୟବାନ ୧୧ଟି ପ୍ଲଟ୍ ଆମେ ଠାବ କରିଛୁ । ସେହିପରି ତାଙ୍କ ବ୍ୟାଙ୍କ ଜମା ଓ ବୀମା ବାବଦରେ ସବୁ ତଥ୍ୟ ଆମେ ବ୍ୟାଙ୍କ ସବୁକୁ ମାଗିଛୁ । ତେବେ ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ତାଙ୍କର କେତେ ଆୟବହିର୍ଭୁତ ସମ୍ପତ୍ତି ଅଛି ତାହା ସ୍ପଷ୍ଟ ହେବ । ସେହିପରି ସମ୍ପୃକ୍ତ ପ୍ରିନ୍ସିପାଲ ସୋନପୁରରେ ଥିବା ବେଳେ ସେଠି କଲେଜରେ ବ୍ୟାପକ ଅନିୟମିତତା ଥିଲା, ଯାହାର ତଦନ୍ତ ତାଙ୍କ ବିଭାଗ କରୁଛି । ଏହା ସହ ତାଙ୍କ ନାଁରେ ସୋନପୁର ଥାନାରେ ଏକ ସାଇବର ଅପରାଧ ମାମଲା ମଧ୍ୟ ରହିଛି,” ବୋଲି ଭିଜିଲାନ୍ସ ଏସପି କହିଛନ୍ତି । ବଲାଙ୍ଗିର ସରକାରୀ ଆଇଟିଆଇ ପ୍ରିନ୍ସପାଲ ସୁରେଶ କୁମାର ଦଳବେହେରା ଗତକାଲି ବଲାଙ୍ଗିର ରେଳ ଷ୍ଟେସନରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ସେହିପରି ଭିଜିଲାନ୍ସର ତିନିଟି ଟିମ୍ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଯେଉଁଥିରେ ରାଉରକେଲା ସ୍ଥିତ ତାଙ୍କ ବାସଭବନରୁ ଗତକାଲି ପାଞ୍ଚ ଲକ୍ଷ ୧୬ ହଜାର ଟଙ୍କା ନଗଦ ଜବତ କରିଥିଲା । ସେହିପରି ସମ୍ବଲପୁର ଭିଜିଲାନ୍ସ କେସ ନମ୍ୱର୍ ୨୨/୨୬ରେ ମାମଲା ରୁଜୁ କରି ଅଣ୍ଡର ସେକ୍ସନ ୭ ପିସି ଏମେଣ୍ଡମେଣ୍ଟ ଏକ୍ଟ ୨୦୧୮ରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।