ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜଣାନାହିଁ

ବଲାଙ୍ଗୀର / ଭୁବନେଶ୍ୱର:ରାଜ୍ୟରେ ଗଣତନ୍ତ୍ର ବିପଦରେ ।  ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣି ହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍‌ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ କରି ରଖାଯାଉଛି । ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ୍ୟ ସରକାର ଚାଲିଛି । ଏମିତି କହି ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ସରଗରମ ହେଉଛି । ଆଜି ବଲାଙ୍ଗୀରରେ ସାମ୍ବାଦିକ ସମ୍ମିଳନୀ କରି ଜୋରଦାର ବର୍ଷିଛନ୍ତି  ମନମୋହନ । ବିଜେଡି ସରାକରର ଅପାରଗତାକୁ ନେଇ କଡା ସମାଲୋଚନା କଲେ ବିଜେପି ନେତା ମନମୋହନ ସାମଲ। ସେ କହିଛନ୍ତି,  ଓଡିଶାରେ ଆଜି ବିକାଶ ବାଧାପ୍ରାପ୍ତ ହୋଇଛି । ଶିଳ୍ପ, କୃଷି, ଜଳସେଚନ କେଉଁଥିରେ ବି ବିକାଶ ହେଉନାହିଁ । ସ୍ୱାସ୍ଥ୍ୟ, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ପାଖାପାଖି ୧.୫ କୋଟି ଓଡିଆ ଆଜି ଅନ୍ୟତ୍ର ଦାଦନ ଖଟିବାକୁ ଯାଇଛନ୍ତି ।   ସାରା ରାଜ୍ୟରେ ଏହି ସମସ୍ୟା ଉତ୍କଟ ହୋଇପଡିଥିବାବେଳେ ବିଶେଷ ଭାବେ ବଲାଙ୍ଗୀର, ନୂଆପଡା, କଳାହ।।ଣ୍ଡି ଜିଲ୍ଲାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି ।  ହେଲେ ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

କେନ୍ଦ୍ରରେ ବିଜେପି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି,  ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ଭବ ହୋଇଛି । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀଭାବରେ ଗର୍ବ ଅନୁଭବ କରୁଛେ । ମୋଦିଜୀ ୭୫ଲକ୍ଷ ଭଉଣୀ, ମାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ନିଷ୍ପତି ନେଇଛନ୍ତି । ଦେଶର ୧୦କୋଟି ୭୫ଲକ୍ଷ ଭଉଣୀମାନେ ବିନା ମୂଲ୍ୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି ।

ମୋଦିଜୀଙ୍କ ଐତିହାସିକ ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ବଲାଙ୍ଗୀର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବଲାଙ୍ଗୀର ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି  ।   ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ଦୁର୍ନୀତି, ଭ୍ରଷ୍ଟାଚାର ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି । ଓଡିଶା ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳଜୀ ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ସ୍ୱାଗତ କରାଯିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଥିଲେ । ଏହା ପରେ ଶ୍ରୀ ସାମଲ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସମୀକ୍ଷା କରିଥିଲେ ।