ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ପରିବର୍ତ୍ତେ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଆମେରିକା-ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣାର ୨୪ ଘଣ୍ଟା ନପୂରୁଣୁ ପୁଣି ଥରେ ହିଂସାତ୍ମକ ରୂପ ନେଇଛି ମଧ୍ୟପ୍ରାଚ୍ୟ। ଲେବାନନ ଉପରେ ଇସ୍ରାଏଲ୍ର ନିରନ୍ତର ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୨୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଲେବାନନ ଉପରେ ହେଉଥିବା ଏହି ଆକ୍ରମଣର ଜବାବରେ ଇରାନ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ଇରାନ ହର୍ମୁଜ ପ୍ରଣାଳୀ (Strait of Hormuz) ଦେଇ ଯାଉଥିବା ତେଲ ଟ୍ୟାଙ୍କରଗୁଡ଼ିକର ପଥ ଅବରୋଧ କରିଛି। ଇରାନର ଏହି ପଦକ୍ଷେପ ଯୋଗୁଁ ବିଶ୍ୱ ବଜାରରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଶକ୍ତିଶାଳୀ ସଂଗଠନ ହିଜବୋଲା ମଧ୍ୟ ଏହି ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଧମକ ଦେଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯଦି ଲେବାନନକୁ ଯୁଦ୍ଧବିରତି ଚୁକ୍ତିନାମାରେ ସାମିଲ କରା ନଯାଏ, ତେବେ ଏହି ଚୁକ୍ତିର କୌଣସି ମୂଲ୍ୟ ରହିବ ନାହିଁ। ଯଦି ଇସ୍ରାଏଲ୍ ଆକ୍ରମଣ ବନ୍ଦ ନକରେ, ତେବେ ତାକୁ ଭୟଙ୍କର ପ୍ରତିଶୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ହିଜବୋଲା ଚେତାବନୀ ଦେଇଛି।