କର୍ଣ୍ଣାଟକରେ ଇସ୍ରାଏଲ୍ ଯୁବତୀଙ୍କୁ ଗଣଦୁଷ୍କର୍ମ, ପ୍ରତିରୋଧ କରିବାରୁ ଓଡ଼ିଆ ଯୁବକଙ୍କୁ ହତ୍ୟା

ବେଙ୍ଗାଲୁରୁ : କର୍ଣ୍ଣାଟକର କୋପ୍ପାଲ ଅଞ୍ଚଳରେ ଜଣେ ୨୭ ବର୍ଷୀୟା ଇସ୍ରାଏଲ୍ ଯୁବତୀଙ୍କ ସମେତ ୨ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ଭାରତ ବିଶ୍ୱସ୍ତରରେ ପୁଣିଥରେ ନିନ୍ଦିତ ତଥା ସମାଲୋଚିତ ହୋଇଛି। ଇସ୍ରାଏଲ୍ ଯୁବତୀ ଜଣକ ଭାରତ ବୁଲିବାକୁ ଆସିଥିବା ବେଳେ ତାଙ୍କ ସହ ଏପ୍ରକାର ଅଘଟଣକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ମଧ୍ୟ ଭର୍ତ୍ସନା କରାଯାଉଛି। ବେଙ୍ଗାଲୁରୁ ସହରଠାରୁ ପ୍ରାୟ ୩୫୦ କିମି ଦୂର କୋପ୍ପାଲ୍ ବୁଲିବାକୁ ବିଦେଶିନୀ ଯୁବତୀ ଜଣକ ଏଠାକୁ ଆସିଥିଲେ। ରିପୋର୍ଟ ଅନୁସାରେ ଗୁରୁବାର ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ନିକଟ ସାନପୁର ହ୍ରଦ କୂଳକୁ ଇସ୍ରାଏଲ୍ ଯୁବତୀ ଏବଂ ତାଙ୍କର ଅନ୍ୟ ୪ ସହଯୋଗୀ ବୁଲିବା ପାଇଁ ଯାଇଥିଲେ। ଏମାନଙ୍କ ମଧ୍ୟରେ ଅନ୍ୟଜଣେ ଯୁବତୀ (ଇସ୍ରାଏଲ୍ ଯୁବତୀ ଯାହାଙ୍କ ଘରେ ରହୁଥିଲେ) ରହିଥିବା ବେଳେ ବାକି ୩ ପୁରୁଷ ଥିଲେ। ଏହି ୩ ପୁରୁଷ ସହଯୋଗୀଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିଲେ, ଯାହାଙ୍କ ଘର କନ୍ଧମାଳ ଜିଲ୍ଲା ବୋଲି ଜଣାପଡ଼ିଛି। ତେବେ ଏହି ୫ ଜଣ ଗୁରୁବାର ରାତି ସାଢ଼େ ୧୦ଟାରେ ସାନପୁର ହ୍ରଦ କୂଳରେ ବୁଲାବୁଲି କରୁଥିଲେ। ରାତି ପ୍ରାୟ ୧୧ରୁ ସାଢ଼େ ୧୧ ମଧ୍ୟରେ ସାନପୁର ହ୍ରଦକୁ ୩ ଦୁର୍ବୃତ୍ତ ଆସିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଏମାନଙ୍କୁ କିଛି ପେଟ୍ରୋଲ୍ ଏବଂ ପରେ ୧୦୦ଟଙ୍କା ମାଗିଥିଲେ। ପର୍ଯ୍ୟଟକମାନେ ପେଟ୍ରୋଲ୍ କିମ୍ବା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଏମାନଙ୍କ ସହ ଖରାବ ବ୍ୟବହାର କରିବା ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ଇସ୍ରାଏଲ୍ ଯୁବତୀ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ। ତେବେ ୩ ପୁରୁଷ ବନ୍ଧୁ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ମିଳିତ ଭାବେ ସେମାନଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିପକାଇଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ଦୁର୍ବୃତ୍ତମାନେ ଏହି ୩ ଯୁବକଙ୍କୁ ପାଖରେ ଥିବା ତୁଙ୍ଗଭଦ୍ରା କେନାଲ୍ ମଧ୍ୟକୁ ଠେଲିଦେଇଥିଲେ। ପରେ ଅଭିଯୁକ୍ତମାନେ ୨ ଯୁବତୀଙ୍କୁ ମାଡ଼ମାରିବା ସହ ଗଣଦୁଷ୍କର୍ମ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଅନ୍ୟପକ୍ଷେ ଦୁର୍ବୃତ୍ତମାନେ ଠେଲିଦେବାରୁ ବିଭାସ ନାମକ ଓଡ଼ିଆ ଯୁବକ ଜଣକ କେନାଲରେ ବୁଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କେନାଲରେ ପଡ଼ିଥିବା ୨ ପର୍ଯ୍ୟଟକ (ଡାନିଏଲ୍ ନାମକ ଜଣେ ଆମେରିକୀୟ ନାଗରିକ ଓ ପଙ୍କଜ ନାମକ ଅନ୍ୟ ଜଣେ ମହାରାଷ୍ଟ୍ରର ଯୁବକ) ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଥିଲେ। ଡାନିଏଲ୍ ଏବଂ ପଙ୍କଜ କୌଣସି ମତେ ପହଁରି ପହଁରି ପାଣିରୁ ବାହାରି ଆସିଥିଲେ। କିନ୍ତୁ ବିଭାଶ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ କେନାଲରୁ ବିଭାସଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ହତ୍ୟା ଓ ଗଣଦୁଷ୍କର୍ମରେ ଲିପ୍ତ ବ୍ୟକ୍ତିକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି। ୬ଟି ସ୍ୱତନ୍ତ୍ର ଟିମ୍ ଏଥିନିମନ୍ତେ ଗଠନ କରାଯାଇଥିବା କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ଉଭୟ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗୁରୁବାର ରାତିରେ ଏହି ଅପରାଧ ଘଟିଥିବା ବେଳେ ଶନିବାର ଏସମ୍ପର୍କରେ କୋପ୍ପାଲ ପୋଲିସ୍ ସୁପରିଟେଣ୍ଡେଣ୍ଟ ରାମ୍ ଏଲ୍ ଆରାସିଦ୍ଦି ସୂଚନା ଦେବାପରେ ସବୁକିଛି ସାମ୍ନାକୁ ଆସିଛି। ତେବେ ଶନିବାର ସୁଦ୍ଧା ଏହି ଘଟଣାରେ ଅଭିଯୁକ୍ତ ଥିବା ୩ ଅପରାଧୀଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାସାରିଥିବା ପୋଲିସ୍ ସୂଚନା ଦେଇଛି।

Israeli girl gang-raped in Karnataka