ଚର୍ଚ୍ଚାରେ ଇଶା ଅମ୍ବାନୀଙ୍କ ବ୍ୟାଗ

ନ୍ୟୁୟର୍କରେ ଆୟୋଜିତ ହୋଇଛି ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ । ଏଥିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ସାମିଲ ହୋଇଛନ୍ତି । ଏହି ଇଭେଣ୍ଟରେ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି । ଆଉ ନିଜ ଷ୍ଟାଇଲରେ ସମସ୍ତ ଅଭିନେତ୍ରୀଙ୍କୁ ଟକ୍କର ଦେଇଛନ୍ତି । ସବୁଠୁ ବଡ଼କଥା ସେ ଧରିଥିବା ବ୍ୟାଗ ଏବେ ଖୁବ୍ ଚର୍ଚ୍ଚାରେ ।

ଏହି ଇଭେଣ୍ଟରେ ଇଶା ନେପାଳୀ-ଆମେରିକୀୟ ଡିଜାଇନର୍ ପ୍ରବଲ ଗୁରୁଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ କଳା ସାଟିନ୍ ଶାଢୀ ଗାଉନ୍ ପିନ୍ଧିଥିଲେ । ଏଥିରେ ସେ ବହୁତ ଷ୍ଟାଇଲିସ୍ ଲାଗୁଥିଲେ । ଆଉ ଇଶା ଧରିଥିବା ଏକ ବ୍ୟାଗ ବି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ବ୍ୟାଗରେ ଏକ କଣ୍ଢେଇର ଚିତ୍ର ଅଙ୍କା ଯାଇଥିଲା । ଏହି ବ୍ୟାଗର ମୂଲ୍ୟ ୩୦,୫୫୦ ଆମେରିକୀୟ ଡଲାର ଅର୍ଥାତ ୨୪,୯୭,୯୫୧.୩୦ ଟଙ୍କା ରହିଥିବା କୁହାଯାଉଛି ।

୨୦୧୭ ମସିହାରେ ଇଶା ‘ମେଟ ଗାଲା’ କାର୍ଯ୍ୟକ୍ରମରେ ଡେବ୍ୟୁ କରିଥିଲେ । ପରେ ୨୦୧୯ରେ ବି ଏହି ଫ୍ୟାସନ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ପ୍ରତିଥର ସେ ନିଜର ସ୍ୱତନ୍ତ୍ର ଷ୍ଟାଇଲ ହେତୁ ଚର୍ଚ୍ଚାରେ ରହିଥାଆନ୍ତି ।