କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ ଏବେ ଆଶାୟୀଙ୍କ ମନ ବଳୁଛି। ଟିକେଟ୍ କସରତ ଭିତରେ ରାଜ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼ ଜମୁଛି ।

୧୪୭ ନିର୍ବାଚନ ମଣ୍ଡଳୀରୁ ୨୫ ଶହରୁ ଅଧିକ ଲୋକ କଂଗ୍ରେସ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି । ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନରେ ପହଂଚିଛନ୍ତି । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ କରାଯିବ ଆଲୋଚନା ପର୍ଯ୍ୟାଲୋଚନା । ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ସୂଚନା ରହିଛି । ଯାହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବେଶ୍ ସକ୍ରିୟ ଥିବା ନଜର ଆସିଛନ୍ତି। ନିର୍ବାଚନ ମଇଦାନରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି ।

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ଅନଲାଇନ୍ ଆବେଦନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଓଡ଼ିଶାବାସୀଙ୍କ ଉପରେ ଯାହା ଅତ୍ୟାଚାର ହେଉଛି ତାହାର ଅନ୍ତ ହେବାର ଆବଶ୍ୟକତା ଅଛି। କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଶାସନ ଚାଲିଥିବା ବେଳେ ଏହାର ଏକ ମାତ୍ର ବିକଳ୍ପ ହେଉଛି କଂଗ୍ରେସ। ଯାହାକୁ ଲୋକେ ଗ୍ରହଣ କରିସାରିଲେଣି। ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଲୋକଙ୍କ ପାଇଁ ଆଶାୟୀ ପ୍ରାର୍ଥୀମାନେ କଣ କଣ କାମ କରିଛନ୍ତି, ଲୋକେ ତାଙ୍କୁ କିପରି ଗ୍ରହଣ କରୁଛନ୍ତି ସେହି ଆଧାରରେ ଟିକେଟ ଦେବା ସ୍ଥିର କରାଯିବ।

ପୂର୍ବ କଥା ଆଲୋଚନା କଲେ ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟନରେ ଅର୍ଥ କାରବାର ହେଉଥିବା ନେଇ ବହୁ ବାର ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସର ଟିକେଟ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ଅନଲାଇନରେ ଟିକେଟ ଆବେଦନ ବ୍ୟବସ୍ଥା କରାଯାଇଥିଲା । ଟିକେଟ ପାଇଁ କାହା ପାଖରେ ଲବି କରିବା ପରିବର୍ତ୍ତେ ସିଧାସଳଖ ଟିକେଟ ପାଇଁ ଆବେଦନ କରିବାର ସୁଯୋଗ ମିଳିଥିବାରୁ ଅଧିକରୁ ଅଧିକ କଂଗ୍ରେସ କର୍ମୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଯାହାକୁ ଦଳୀୟ କର୍ମୀମାନେ ମଧ୍ୟ ବେଶ ପସନ୍ଦ କରିଥିଲେ । ଏହାଦ୍ୱାରା କଂଗ୍ରେସ ଟିକେଟ ପାଇଁ କେତେ ଜଣ ଇଚ୍ଛୁକ ଏବଂ ଯୁବବର୍ଗଙ୍କ ମଧ୍ୟରେ କଂଗ୍ରେସକୁ ନେଇ କଣ ମନୋଭାବ ରହିଛି ତାହା ସ୍ପଷ୍ଟ ସଂକେତ ମଧ୍ୟ ମିଳୁଛି । ତେବେ ହାତ ଦଳରୁ ଏଥର କେଉଁ କେଉଁ ଚେହେରା ଟିକେଟ ପାଇ ଜନତାଙ୍କ ପ୍ରତିନିଧିତ୍ଵ କରିବା ପାଇଁ କସରତ କରିବେ ତାହାକୁ ଅପେକ୍ଷା।