ଟ୍ରଫି ପାଇଁ ଆଜି କଡା ମୁକାବିଲା..କିଏ ଜିତିବ?

ଗୁଜୁରାଟ:- ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୩ ବର୍ଷ ପରେ ଆଇପିଏଲରେ ମିଳିବ ନୂଆ ଚାମ୍ପିଆନ । ଆଜି ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଫାଇନାଲ ମହାମୁକାବିଲା । ଯିଏ ବି ଜିତିଲେ ହେବେ ନୂଆ ଚାମ୍ପିଅନ୍‌ । ୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଉଭୟ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ପ୍ରଥମ ଆଇପିଏଲ ଟ୍ରଫି ଜିତିବାକୁ ଜୋର୍ ଲଗାଇଦେବେ ଉଭୟ ଦଳ । କ୍ୱାଲିଫାୟର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା ଦଳ । ଅଧିନାୟକ ଶ୍ରେୟସ୍ କହିଥିଲେ, ଆମେ ଲଢ଼େଇ ହାରିଛୁ ଯୁଦ୍ଧ ନୁହେଁ । ଆଉ କ୍ୱାଲିଫାୟର-୨ରେ ଜବରଦସ୍ତ କମବ୍ୟାକ୍ କରି ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଶ୍ରେୟସ୍ । ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ନିଜ ଆଇପିଏଲ ଟ୍ରଫି ସ୍ବପ୍ନ ପୂରା କରିବାକୁ ପୂରା ଦମ୍ ଲଗାଇବେ ବିରାଟ କୋହଲି । କିନ୍ତୁ ଫାଇନାଲ ଫାଇଟରେ ବାଧକ ହୋଇପାରେ ବର୍ଷା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଫାଇନାଲ୍ ମ୍ୟାଚରେ ବର୍ଷା ସାଜିପାରେ ବାଧକ ।