IPL2022 : ରାଜସ୍ଥାନ ରୟାଲ୍ସ ର ୨ ଓ୍ଵିକେଟ୍ ରେ ୨୨୨ ରନର ବିଶାଳ ସ୍କୋର , ବଟଲରଙ୍କ ବିସ୍ଫୋରକ ଶତକ

ଚଳିତ ଆଇପିଏଲରେ ଗର୍ଜି ଚାଲିଛି ଜୋସ୍ ବଟଲରଙ୍କ ବ୍ୟାଟ୍। ଶତକ ପରେ ଶତକ। ଆଜି ଆଇପିଏଲର ୩୪ତମ ମ୍ୟାଚ୍‌ରେ ଜୋସ୍ ବଟଲର ବିସ୍ଫୋରକ ଶତକ ହାସଲ କରିଛନ୍ତି। ଚଳିତ ସଂସ୍କରଣରେ ଏହା ହେଉଛି ତାଙ୍କର ତୃତୀୟ ଶତକ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨ ଓ୍ଵିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଛି। ଚଳିତ ସିଜିନରେ ଏହା ସର୍ବୋଚ୍ଚ ସ୍କୋର। ବୋଟଲର ବିସ୍ଫୋରକ ବ୍ୟାଟିଂ କରି ୬୫ ରନ ବଲରୁ ୧୧୬ ରନ କରିଛନ୍ତି। ଏଥିରେ ୯ଟି ଚୌକା ଏବଂ ୯ଟି ଛକା ସାମିଲ। ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ୫୪ ରନ କରିଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ। ଦିଲ୍ଲୀର ସମସ୍ତ  ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଓପନର ଇନଫର୍ମ ବ୍ୟାଟସମ୍ୟାନ ଜୋସ ବଟଲର ଏବଂ ଦେବଦତ୍ତ ପାଡିକଲ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ। ତେବେ କ୍ରିଜରେ ସେଟ୍ ହେବା ପରେ  ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ଦିଲ୍ଲୀ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ନିର୍ଧୁମ ପ୍ରହାର କରିଥିଲେ। ୧୫.୧ ଓଭରରେ ୧୫୫ ରନ ଯୋଡିଥିଲେ ଦୁଇ ଓପନର। ପାଡିକଲ ୩୫ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଅନ୍ୟପଟେ ଜୋସ ବଟଲର ଧୂଆଁଧାର ବ୍ୟାଟିଂ କରି ଚଳିତ ଆଇପିଏଲରେ ନିଜର ତୃତୀୟ ଶତକ ହାସଲ କରିଥିଲେ। ମୋଟ୍ ଉପରେ ଆଇପିଏଲରେ ବଟଲରଙ୍କ ଏହା ହେଉଛି ଚତୁର୍ଥ ଶତକ। ୧୯ତମ ଓଭରରେ ବଟଲର ଆଉଟ୍ ହୋଇଥିଲେ। ସେ ୬୫ ବଲରୁ ୯ଟି ଲେଖାଏଁ ଚୌକା ଏବଂ ଛକା ସହ ୧୧୬ ରନର ଚମତ୍କାର ଇନିଂସ ଖେଳିଥିଲେ। ଶେଷ ଆଡକୁ ସଞ୍ଜୁ ସାମସନ ୧୯ ବଲରୁ ୫ ଚୌକା ଏବଂ ୩ ଛକା ସହ ୪୬ ରନ କରିଥିଲେ। ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୨୨ ରନ କରିଛି। ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।