ଆଇପିଏଲ୍: ଗୁଜୁରାଟ ଟାଇଟାନ୍ସ ପାଇଁ ବଡ଼ ବିଜୟ, ରାଜସ୍ଥାନକୁ ପରାସ୍ତ କରି ହାର୍ଦ୍ଦିକଙ୍କ ଦଳ ଶୀର୍ଷରେ ପହଞ୍ଚିଲା

ଆଇପିଏଲ୍ ୨୦୨୨, ଗୁରୁବାର ର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି | ଏହି ବିଜୟ ସହିତ ହାର୍ଦ୍ଦିକଙ୍କ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି |

କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କ ୫୨ ଟି ବଲରୁ ଅପରାଜିତ ୮୭ ରନ ବଳରେ ଗତକାଲିର ଆଇପିଲ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି। କ୍ୟାପଟେନ ହାର୍ଦ୍ଦିକ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଏବଂ ଫର୍ମ ବିଷୟରେ ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଗୁଜୁରାଟକୁ ୪ ୱିକେଟ୍ ରେ ୧୯୨ ରନ୍ ସ୍କୋର ରେ ପହଂଚାଇଥିଲେ । ଏହାର ଜବାବରେ ଜୋସ୍ ବଟଲର୍ (୨୪ ବଲରେ ୫୪ ରନ୍) ରାଜସ୍ଥାନ ରୟାଲ୍ସ ତରଫରୁ ଭଲ ଆରମ୍ଭ କରିଥିଲେ କିନ୍ତୁ ବାକି ବ୍ୟାଟ୍ସମ୍ୟାନ୍ ଙ୍କ ସମର୍ଥନ ପାଇପାରିନଥିଲେ ଏବଂ ପୂରା ଦଳ ୯ ୱିକେଟ୍ ରେ ୧୫୫ ରନ୍ ସଂଗ୍ରହ କରିଥିଲେ।

ଏହାପୂର୍ବରୁ ଅଭିନଭ ମନୋହର ୨୮ଟି ବଲରେ ୪୩ ରନ୍ ସଂଗ୍ରହ କରିଥିଲେ ଏବଂ ଡେଭିଡ ମିଲର ହାର୍ଦ୍ଦିକଙ୍କ ସହ ୧୪ ଟି ବଲରେ ଅପରାଜିତ ୩୧ ରନ୍ କରିଥିଲେ। ପ୍ରଥମ ଥର ପାଇଁ ଆଇପିଏଲରେ ପ୍ରବେଶ କରିଥିବା ଗୁଜୁରାଟ ଦଳ ପାଇଁ ଏହା ହେଉଛି ସର୍ବାଧିକ ସ୍କୋର | ଚତୁର୍ଥ ୱିକେଟ୍ ପାଇଁ ହାର୍ଦ୍ଦିକ ଏବଂ ମନୋହର ୮୬ ରନ୍ ଯୋଡିଥିଲେ। ଏହା ପରେ ଅଧିନାୟକ ଏବଂ ମିଲର ୨୫ ବଲରେ ୫୩ ରନ୍ ସ୍କୋର କରିଥିଲେ ।

ଗୁଜୁରାଟ ପାଇଁ ବାମହାତୀ ଦ୍ରୁତ ବୋଲର ୟଶ ଡାୟାଲ ନିଜର ଆଇପିଏଲ ଡେବ୍ୟୁ କରିଥିବା ବେଳେ ୪୦ ରନ ଦେଇ ୩ଟି ଵିକେଟ ନେଇଥିବାବେଳେ ଲକି ଫର୍ଗୁସନ୍ ୨୩ ରନ ଦେଇ ୩ଟି ଵିକେଟ ନେଇଥିଲେ, ଯେଉଁଥିରେ ବଟଲରଙ୍କ ମୂଲ୍ୟବାନ ୱିକେଟ୍ ଅନ୍ତର୍ଭୁକ୍ତ ହୋଇଥିଲା | ରାଜସ୍ଥାନ ରୟାଲ୍ସ ପାଇଁ ୧୭ ଟି ବଲରେ ଶିମ୍ରନ୍ ହେଟମିୟର ୨୯ ରନ୍ ସଂଗ୍ରହ କରିଥିଲେ |

ପାଞ୍ଚଟି ମ୍ୟାଚରୁ ଚାରିଟି ବିଜୟ ସହ ଗୁଜୁରାଟ ବର୍ତ୍ତମାନ ଟେବୁଲର ଶୀର୍ଷରେ ପହଂଚିଥିବାବେଳେ ପାଞ୍ଚଟି ମ୍ୟାଚରୁ ଆଉ ଏକ ପରାଜୟ ସହିତ ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ସ୍ଥାନରେ ପହଂଚିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଦଳ ୫୩ ରନ୍ ରେ ତିନୋଟି ୱିକେଟ୍ ହରାଇଥିଲା। ଏହା ପରେ ହାର୍ଦ୍ଦିକ କମାଣ୍ଡ ନେଇଥିଲେ ଏବଂ ତାଙ୍କ ଇନିଂସରେ ୮ଟି ଚୌକା ଓ ୪ଟି ଛକା ମାରିଥିଲେ | ମନୋହର ୪ଟି ଚୌକା ଓ ଦୁଇଟି ଛକା ମାରିଥିବା ବେଳେ ମିଲର ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ କୁଲଦୀପ ସେନଙ୍କ ବୋଲିଂରେ ୧୯ ତମ ଓଭରରେ ୨୧ ରନ୍ ନେଇଥିଲେ। ପଞ୍ଚମ ଓଭରରେ ହାର୍ଦ୍ଦିକ ଲଗାତାର ତିନୋଟି ଚୌକା ମାରି କୁଲଦୀପଙ୍କୁ ଶକ୍ତଧକ୍କା ଦେଇଥିଲେ। ମନୋହର ଇନ-ଫର୍ମ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପରେ ୧୪ ତମ ଓଭରରେ ଉଭୟ କୁଲଦୀପଙ୍କୁ ତିନୋଟି ଚୌକା ମାରିଥିଲେ ଏବଂ ହାର୍ଦ୍ଦିକ ମଧ୍ୟ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।