ଆଇପିଏଲ ୨୦୨୨ : ଏପ୍ରିଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ୍‌ ଖେଳିପାରିବେନି ସୂର୍ଯ୍ୟ କୁମାର ଯାଦବ

ଆସନ୍ତା ୨୬ ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୨ I ଏହାପୂର୍ବରୁ ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆସିଛି ଖରାପ ଖବର। ଆହତ ସମସ୍ୟା ଦେଇ ଗତି କରୁଥିବା ଦଳର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଏପ୍ରିଲ ମାସ ପୂର୍ବରୁ ମ୍ୟାଚ୍‌ ଖେଳିବାକୁ ଫିଟ ହୋଇ ପାରିବେ ନାହିଁ। ଏହାର ଅର୍ଥ ମାର୍ଚ୍ଚ ୨୭ ତାରିଖ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ସେହିପରି ଏପ୍ରିଲ ୨ରେ ମୁମ୍ବାଇର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ସେ ଦଳକୁ ଫେରିବେ କି ନାହିଁ, ସେକଥା ବି ଏଯାଏ ସ୍ପଷ୍ଟ ହୋଇନି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ ବେଳେ ସୂର୍ଯ୍ୟ କୁମାର ଯାଦବ ଆହତ ହୋଇଥିଲେ। ଏଥିପାଇଁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରୁ ସେ ବାଦ ପଡ଼ିଥିଲେ। ବର୍ତ୍ତମାନ ସୂର୍ଯ୍ୟ କୁମାର ବେଙ୍ଗାଲୁରୁ ସ୍ଥିତି ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବିଲଟେସନ ପ୍ରକ୍ରିୟାରେ ଅଛନ୍ତି। ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ସତ, ହେଲେ ଏପ୍ରିଲ ପୂର୍ବରୁ ମ୍ୟାଚ୍‌ ଖେଳିବାକୁ ସଂପୂର୍ଣ୍ଣ ଫିଟ ହେବାର ଆଶା ବହୁତ କମ। ତେଣୁ ସେ ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ଖେଳି ନ ପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଆଇପିଏଲର ମେଗା ନିଲାମ ପୂର୍ବରୁ ମୁମ୍ବାଇ ଯେଉଁ ୪ ଖେଳାଳିଙ୍କୁ ରିଟେନ କରିଥିଲା, ସେମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ରହିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ସେ ଜଣେ ପ୍ରମୁଖ ଖେଳାଳି। କିନ୍ତୁ ଦିଲ୍ଲୀ ବିପକ୍ଷ ପ୍ରଥମ ମ୍ୟାଚରେ ସେ ବାଦ ପଡ଼ିବା ଦଳ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।