IPL 2022: ଆରସିବି ବନାମ କେକେଆର,ଶେଷ ଓଭରରେ କୋଲକାତାକୁ ପରାସ୍ତ କଲା ଆରସିବି

ଆଇପିଏଲର ୧୫ତମ ସଂସ୍କରଣର ଷଷ୍ଠ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇଛି। ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିବା ଛକାପଞ୍ଝା ମ୍ୟାଚ୍‌ରେ ଶେଷରେ ବାଜି ମାରି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଲୋ ସ୍କୋରିଂ ମ୍ୟାଚ୍‌ରେ ବେଙ୍ଗାଲୁରୁ କୋଲକାତାକୁ ୩ ଓ୍ଵିକେଟ୍‌ରେ ହରାଇ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ୧୮.୫ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଥିଲା। କେକେଆର ପକ୍ଷରୁ ରସେଲ ସର୍ବାଧିକ ୨୫ ରନ କରିଥିଲେ। ଜବାବରେ ବେଙ୍ଗାଲୁରୁ ୧୯.୨ ଓଭରରେ ୭ ଓ୍ଵିକେଟ୍ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଦିନେଶ କାର୍ତ୍ତିକ ବିଜୟ ସୂଚକ ଚୌକା ମାରି ଦଳକୁ ବିଜୟୀ କରାଇଛନ୍ତି।  କାର୍ତ୍ତିକ ୭ ବଲ୍‌ରୁ ୧୪ ରନ ଏବଂ ହର୍ଷଲ ପଟେଲ୍ ୧୦ ରନ କରି ଅପରାଜିତ ଥିଲେ। ଉଭୟଙ୍କ ବ୍ୟତୀତ ଶାହବାଜ ଅହମ୍ମଦ ୨୭, ସେରଫାନେ ରୋଦରଫର୍ଡ ୨୮ ରନ କରିଥିଲେ। କେକେଆର ପକ୍ଷରୁ ଟିମ୍ ସାଉଦି ୨୦ ରନ ଦେଇ ୩ଟି ଏବଂ ଉମେଶ ଯାଦବ ୧୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ଶାଣିତ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତାକୁ ବଡ ସ୍କୋର କରିବାକୁ ଦେଇ ନଥିଲା। ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ ୧୮.୫ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ ୨୫ ରନ କରିଥିଲେ। କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲି। ବେଙ୍ଗାଲୁରୁ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ୨୦ ରନ ଦେଇ ୪ କୋଲକାତା ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କ ବ୍ୟତୀତ ଆକାଶ ଦୀପ ୪୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ବେଙ୍ଗାଲୁରୁ ସାମ୍ନାରେ ୧୨୯ ରନର ସହଜ ବିଜୟ ଲକ୍ଷ୍ୟ ରଖିଥିଲା। ଆଇପିଏଲରେ ଦୁଇ ଦଳଙ୍କ ମଧ୍ୟରେ ଷଷ୍ଠ ମୁକାବିଲା ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।