IPL 2022 : ମୁମ୍ବାଇ ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ଚଳିତ ୨୦୨୨ IPL ସିଜିନ୍ର ୫୬ ତମ ମ୍ୟାଚ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁମ୍ବାଇ ର DY ପାଟିଲ ଷ୍ଟାଡିଅମ ରେ ଖେଳାଯାଉଛି । ରୋହିତଙ୍କ ଅଧିନାୟକ ମୁମ୍ବାଇ ପ୍ଲେ ଅଫ୍ ଦୌଡରୁ ବାହାରେ ଥିବାବେଳେ କୋଲକାତା ଦଳ ଶେଷ ୪ ରେ ପହଞ୍ଚିବା ପାଇଁ ଦୋୖଡରେ ରହିଛି । ତେବେ ଆଜି କେକେଆର୍ ପାଇଁ ପ୍ଲେ ଅଫ୍ ରେ ରହିବାକୁ ହେଲେ କର ବା ମର ପରିସ୍ଥିତି ରହିବ I ଆଜି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି।

ତେବେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ମୁମ୍ବାଇକୁ ଜୋରଦାର ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲର ଅବଶିଷ୍ଟ ମୁକାବିଲାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ରମଣଦୀପ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ସେହି ପରି କୋଲକାତା ନାଇଟ୍ ରାଇଡର୍ସ ପାଞ୍ଚଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ବରୁଣ ଚକ୍ରବର୍ତ୍ତୀ, ପାଟ୍ କମିନ୍ସ ଏବଂ ସେଲଡନ ଜ୍ୟାକ୍ସନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ନାଇଟ ରାଇଡର୍ସ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ପ୍ୟାଟ୍‌ କମିନ୍ସ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ଏଥର ନାଇଟ୍‌ ରାଇଡର୍ସ ଉପରେ ବାଜି ଲଗାଇବା ମଧ୍ୟ ଭୁଲ ସାବ୍ୟସ୍ତ ହୋଇପାରେ । ଦଳର ପ୍ରଦର୍ଶନରେ ଅବନତି ହୋଇଛି । ଓପନିଂ ବିଭାଗ ବିଫଳ ହେଉଥିବାରୁ ନାଇଟ ରାଇଡର୍ସ ୭ଟି ମ୍ୟାଚ୍‌ ପରାଜିତ ହୋଇ ସାରିଛି ।

ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ୱୟରେ ୮ଟି ମ୍ୟାଚ୍‌ ପରାଜିତ ହେବା ପରେ ୨ଟି ମ୍ୟାଚ୍‌ ଜିତିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିଛନ୍ତି। ଦୁଇ ବିଫଳ ଅଲ୍‌ରାଉଣ୍ଡର ଟିମ ଡେଭିଡ୍‌ ଓ ଡାନିଏଲ୍‌ ସାମ୍ସ ଦଳକୁ ଜିତାଇବାର କ୍ଷମତା ରଖିଥିବା ପ୍ରମାଣିତ କରିସାରିଛନ୍ତି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମୋଟ୍‌ ୩୦ଟି ମ୍ୟାଚ୍‌ରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍‌ ଜିତିଛି । ତେଣୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ ।