IPL 2022 :LSG ବନାମ MI ରାହୁଲ ଙ୍କ ତୂଫାନୀ ଶତକ , ମୁମ୍ବାଇର ଲଗାତାର ୮ମ ପରାଜୟ, ୩୬ ରନରେ ଜିତିଲା ଲକ୍ଷ୍ନୌ

ଚଳିତ IPL ସିଜିନ୍ ରେ ମୁମ୍ବାଇ ଇଂଡିଆନ୍ସ ର କ୍ରମାଗତ ୮ ମ ପରାଜୟ I ନିଜ ଘରୋଇ ଗ୍ରାଉଣ୍ଡ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ମ୍ୟାଚରେ ମଧ୍ୟ ମୁମ୍ବାଇକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି।

ଏହି ପରାଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡିଛି। ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି। ଏଥିସହ ଚଳିତ ସିଜିନରେ ଲକ୍ଷ୍ନୌ ମୁମ୍ବାଇ ବିପକ୍ଷରେ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି। ପଞ୍ଚମ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉପରକୁ ଉଠିଛି। ପ୍ରଥମେ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ଶତକୀୟ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇ ଖେଳିଥିବା ସମସ୍ତ ଆଠଟି ମ୍ୟାଚରେ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଥିଲା। ରୋହିତ ଶର୍ମା(୩୯) ଏବଂ ତିଳକ ବର୍ମା(୩୮) କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୩ ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ପ୍ରାୟ ସମସ୍ତ ବୋଲର ମାପଚୁପ ବୋଲିଂ କରିଥିଲେ।

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଏଥର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ୭.୧ ଓଭରରେ ୪୯ ରନ ଯୋଡିଥିଲେ। ପୁଣି ଥରେ ଇଶାନ କିଷନ ଦଳକୁ ନିରାଶ କରି ୨୦ ବଲରୁ ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦଳ ସଅଳ ୩ଟି ଓ୍ଵିକେଟ୍ ହରାଇଥଲା। ଡେଓ୍ଵାର୍ଲ୍ଡ ବ୍ରେଭିସ୍(୩) ପାଭିଲିୟନ ଫେରିଥିଲେ। କ୍ରିଜରେ ସେଟ୍ ହୋଇଥିବା ରୋହିତ ଶର୍ମା ୩୧ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୯ ରନ କରି ଆଉଟ୍ ହେବା ମୁମ୍ବାଇକୁ ବଡ ଝଟକା ଲାଗିଥିଲା।

ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ(୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୬୭ ରନ ସ୍କୋରରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ମୁମ୍ବାଇର ଇନିଂସକୁ ତିଳକ ବର୍ମା ଏବଂ କିରଣ ପୋଲାର୍ଡ ଆଗକୁ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୫୭ ରନ ଯୋଡିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା। ବର୍ମା ୨୭ ବଲରୁ ୨ଟି ଲେଖାଏଁ ଚୌକା ଏବଂ ଛକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ସେ ୧୯ ରନ କରି ଆଉଟ୍ ଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା।

ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୧୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ମହସିନ ଖାନ, ଜାସନ ହୋଲଡର, ରବି ବିଷ୍ଣୋଇ ଓ ଆୟୁଷ ବଦୋନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ I