ଶନିବାର ଆଇପିଏଲର ୫୩ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ନାଇଟ୍ ରାଇଡର୍ସ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ପ୍ଲେ- ଅଫ୍ ଦୌଡ଼ରେ ରହିବାକୁ ହେଲେ ଦଳକୁ ସୁପରଜାଏଣ୍ଟ୍ସକୁ ଯେମିତି ହେଲେ ହରାଇବା ଜରୁରି । ଅନ୍ୟ ପଟେ ସୁପରଜାଏଣ୍ଟ୍ସ ବିଜୟଧାରା ଜାରି ରଖିବା ନେଇ ଜୋରଦାର ପ୍ରସ୍ତୁତ କରୁଛି।
ତେବେ ନାଇଟ୍ ରାଇଡର୍ସ ପାଇଁ ପ୍ଲେ- ଅଫ୍ ରାସ୍ତା କଷ୍ଟକର ରହିଛି । କାରଣ ଦଳ ଏବେ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳିଛି । ଏହି ୧୦ ମ୍ୟାଚରୁ ଦଳ ୪ଟିରେ ବିଜୟ ଲାଭ କରିଥିବା ବେଳେ ଓ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଦଳ ୮ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ- ଅଫ୍ ସ୍ଥାନ ପାଇଁ ଶେଷ ୪ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ତେଣୁ ସୁପରଜାଏଣ୍ଟ୍ସକୁ ହରାଇବା ପାଇଁ ଦଳ ସବୁ ଶକ୍ତି ଖଟାଇବ ।
ପୂର୍ବ ମ୍ୟାଚ୍ରେ ଦଳ ରାଜସ୍ଥାନ ରୟାଲ୍ସକୁ ହରାଇ ପରାଜୟଧାରାରେ ବ୍ରେକ୍ ଲଗାଇଥିଲା । ଯାହା ଦଳୀୟ ଖେଳାଳିଙ୍କ ମନୋବଳ ଦୃଢ଼ କରିଛି । ଓପନର ଆରୋନ ଫିଞ୍ଚ୍ଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ସେ ଫର୍ମକୁ ଫେରିଲେ ନାଇଟ୍ ରାଇଡର୍ସ ବଡ଼ ସ୍କୋର କରିପାରିବ ।ଦୁର୍ଦ୍ଧର୍ଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଏବଂ ପେସ୍ ବୋଲର ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ଲୋକେଶ ରାହୁଲଙ୍କ ନେତୃତ୍ୱାଧିନ ସୁପରଜାଏଣ୍ଟ୍ସ ୧୦ଟି ମ୍ୟାଚ୍ରୁ ୭ ବିଜୟ ଓ ୩ ପରାଜୟ ସହ ୧୪ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଶେଷ ୩ଟି ମ୍ୟାଚ୍ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା । ନାଇଟ୍ ରାଇଡର୍ସକୁ ହରାଇଲେ ଦଳର ପ୍ଲେ-ଅଫ୍ ସ୍ଥାନ ଏକପ୍ରକାର ପକ୍କା ହୋଇଯିବ ।