IPL2022 : କ୍ରମାଗତ ୫ ପରାଜୟ ପରେ KKR ର ଦମଦାର ବିଜୟ ,ରାଜସ୍ଥାନ ପାଇଁ ଭାରି ପଡିଲେ ରାଣା-ରିଙ୍କୁ

କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ପରାଜୟ ଧାରା ଭାଙ୍ଗିଛି କୋଲକାତା ନାଇଟ୍ ରାଇଡର୍ସ। ବୋଲରଙ୍କ ମାପଚୁପ ବୋଲିଂ ଏବଂ ବ୍ୟାଟସମ୍ୟାନ ଉପଯୋଗୀ ଇନିଂସ ବଳରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ହରାଇଛି। ଚଳିତ ଆଇପିଏଲର ୪୭ତମ ମୁକାବିଲାରେ ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିଛି। ଦଶମ ମ୍ୟାଚରୁ କେକେଆର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ କ୍ରମାଗତ ଦ୍ଵିତୀୟ ପରାଜୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ସଞ୍ଜୁ ସାମସନଙ୍କ ୫୪ ରନ ଏବଂ ହେଟମାୟର ଦ୍ରୁତ ୨୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। ଜବାବରେ କୋଲକାତା ନୀତୀଶ ରାଣାଙ୍କ ଅପରାଜିତ ୪୮ ଏବଂ ରିଙ୍କୁ ସିଂହଙ୍କ ଅପରାଜିତ ୪୨ ରନ ବଳରେ ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଅଧିନାୟକ ଶ୍ରେୟସ ଆୟର ୩୪ ରନ କରିଛନ୍ତି।

୧୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ୧୬ ରନ ସ୍କୋରରେ ଆରୋନ ଫିଞ୍ଚ(୪)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ବାବା ଇନ୍ଦ୍ରଜିତ ୧୫ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶ୍ରେସୟ ଆୟର ଧୈର୍ଯ୍ୟର ସହ ବ୍ୟାଟିଂ କରି ୩୪ ରନ କରିଥିଲେ। ସେ ନୀତିଶ ରାଣାଙ୍କ ସହ ତୃତୀୟ ଓ୍ଵିକେଟରେ ୬୦ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ।

ପରେ ନୀତୀଶ ରାଣା ଏବଂ ରିଙ୍କୁ ସିଂହ ଦମଦାର ବ୍ୟାଟିଂ କରି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୬୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ନୀତୀଶ ୩୭ ବଲରୁ ୩ଟି ଚୌକା ଏବଂ ୨ ଛକା ସହ ୪୮ ରନ ଏବଂ ରିଙ୍କୁ ସିଂହ ୨୩ ବଲରୁ ଦ୍ରୁତ ବ୍ୟାଟିଂ କରି ୬ ଚୌକା ଏବଂ ୧ ଛକା ସହ ୪୨ ରନରେ ଅପରାଜିତ ଥିଲେ। କୋଲକାତା ୧୯.୧ ଓଭରରେ ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨୪ ରନ, ପ୍ରସିଦ୍ଧ କ୍ରିଷ୍ଣା ୩୭ ଏବଂ କୁଲଦୀପ ସେନ ୨୮ ରନ ଦେଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।