ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଇପିଏଲ୍‌-୧୮ ଆରମ୍ଭ

କୋଲ୍‌କାତା:ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ର ଶନିବାର ଧମାକାଦାର ଆରମ୍ଭ ହୋଇଛି। କୋଲ୍‌କାତା ଇଡେନ୍ ଗାର୍ଡେନ୍ସରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ୍‌, ଅଭିନେତ୍ରୀ ଦିଶା ପଟାନୀ ଏବଂ ପଞ୍ଜାବୀ ସିଙ୍ଗର୍ କରଣ ଔଜଲାରେ ନିଜ ନିଜର ଜଲ୍‌ୱା ଦେଖାଇଥିଲେ। ସମାରୋହର ହୋଷ୍ଟ୍ ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ୍ ଖାନ୍ ଆର୍‌ସିବି ଷ୍ଟାର୍ ବିରାଟ କୋହଲି ଓ କେକେଆର୍ ବ୍ୟାଟର୍ ରିଙ୍କୁ ସିଂହଙ୍କ ସହ ଏକାଠି ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିଥିଲେ। କୋହଲି ଝୁମେ ଜୋ ପଠାନ୍ ଏବଂ ରିଙ୍କୁ ସିଂହ ଲୁଟ୍ ଗୟା… ଗୀତରେ ଶାହରୁଖ୍‌ଙ୍କ ସହ ଷ୍ଟେପ୍ସ କରିଥିଲେ। ସମାରୋହରେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ୍ ସର୍ବପ୍ରଥମେ ପ୍ରଦର୍ଶନ କରିଥିଲେ। ସେ ଭୁଲ୍ ଭୁଲେୟା ଫିଲ୍ମର ମେରେ ଢୋଲ୍‌ନା ଶୁନ୍‌… ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଏହାପରେ ସେ ଘୁମର-ଘୁମର ଏବଂ କର୍ ହର୍ ମୈଦାନ୍ ଫତହ… ପରି ଗୀତ ଗାଇଥିଲେ। ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ମଲଙ୍ଗ-ମଲଙ୍ଗ ଗୀତରେ ଡ୍ୟାନ୍ସ କରିଥିଲେ। ପରେ ପଞ୍ଜାବୀ ସିଙ୍ଗର୍ କରଣ ଔଜଲାଙ୍କ ହୁସ୍‌ନ ତେରା ତୌବା ତୌବା ଗୀତରେ ଦର୍ଶକ ଝୁମି ଉଠିଥିଲେ। କରଣଙ୍କ ସହ ଦିଶା ମଧ୍ୟ ମଞ୍ଚରେ ଉପସ୍ଥିତ ରହି ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିସିସିଆଇ ସଭାପତି ରୋଜର ବିନ୍ନି ଆଇପିଏଲ୍‌ର ୧୮ ସିଜନ୍ ପୂରା ହେବା ପରେ ବିରାଟ କୋହଲିଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ। ଉଦ୍‌ଘାଟନୀ ସମାରୋହ ଶେଷ ପରେ କେକେଆର୍ କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ଏବଂ ଆର୍‌ସିବି କ୍ୟାପ୍‌ଟେନ୍ ରଜତ ପାଟିଦାର ଟ୍ରଫି ନେଇ ମଞ୍ଚ ଉପରକୁ ଆସିଥିଲେ। ଆଇପିଏଲ୍ ୧୮ ସିଜନ୍ ଅବସରରେ କେକ୍ କଟାଯାଇ ଆତସବାଜୀ ସହିତ ଟୁର୍ଣ୍ଣାମେଣ୍ଟ୍‌ର ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।