ପୁରୀ: ପୁରୀ ମହାପ୍ରସାଦ ଖାଲି ଭୋଗ ନୁହେଁ, ଏହା ସହ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗ । ପୂଜାପର୍ବରେ ହେଉ ବା ଶୁଭ କାମରେ, ପ୍ରତିଶ୍ରୂତି ଦେବାରେ ହେଉ ବା ବନ୍ଧୁତା ରକ୍ଷା କରିବାରେ ଏହି ମହାପ୍ରାସଦକୁ ସମସ୍ତେ ସାକ୍ଷୀ କରି କାମ ଆରମ୍ଭ କରିଥାନ୍ତି । ହେଲେ ଏହି ମହାପ୍ରସାଦର ନକଲି କରି ବିକ୍ରି କରୁଛନ୍ତି ।
ପୁରୀରେ ନକଲି ମହାପ୍ରସାଦ ମିଳୁଥିବା ଅଭିଯୋଗ ହୋଇଛି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଲୋକଙ୍କୁ ବିକ୍ରି କରି ଠକେଇ କରୁଥିବା ଅଭିଯୋଗ । ଶ୍ରୀମନ୍ଦିରରେ ଅବଢା ବାହାରିବାରେ ବିଳମ୍ବ ହେଉଥିବାବେଳେ ଏହାର ଫାଇଦା ନେଉଛନ୍ତି ଏହି ନକଲି ମହାପ୍ରାସଦ ପ୍ରସ୍ତୁତକାରୀ ଟିମ । ଏ ନେଇ ସିଂହଦ୍ୱାର ଥାନାରେ ଅନଲାଇନରେ ଅଭିଯୋଗ ହେବା ପରେ ସିଂହଦ୍ୱାର ଥାନା ଓ ବାସେଳୀ ସାହି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଅଭିଯୋଗରୁ ଜଣାଯାଇଛି, ଏହି ନକଲି ମହାପ୍ରସାଦ ବାସେଳୀ ସାହିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗତକାଲି ଥିଲା ଅଣବସର ତ୍ରୟୋଦଶୀ ତିଥି । ଅବଢ଼ା ବାହାରିବାରେ ବିଳମ୍ବ ହେଉଥିବାରୁ ଏହାର ଫାଇଦା ନେଇ କିଛି ଲୋକ ଏହି ନକଲି ଅବଢା ଭକ୍ତଙ୍କୁ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପାଇକସାହି ସାପୁଆ ମଠରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଶୈଳୀରେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା ।
ମଠ ପରିସରରେ ଏକ ସ୍ଥାନରେ ରୋଷେଇ ଚାଲିଥିଲା । ପନିପରିବା କଟା ପରେ ପାଖ ପଡ଼ିଆରେ ରୋଷେଇବାସ କରାଯାଉଥିଲା । ଏକ ବଡ ଆଲୁମିନିୟମ ହାଣ୍ଡିରେ ଅନ୍ନ ଓ ଅନ୍ୟସବୁ ଡିସ ପ୍ରସ୍ତୁତ କରିବା ପରେ ଏହାକୁ ମାଟିର ବାଇହାଣ୍ଡିରେ ଦେଉଳିଆ କରି ରଖାଯାଇଥିଲା । ସେହିଭଳି ମଠ ପରିସରରେ ଏକାଧିକ ବାଇହାଣ୍ଡି ରଖାଯାଇଥିବା ଦେଖିବାକୁ ମିଳିଥିଲା ।