ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି । ଏହି ଇଣ୍ଟର୍ନସିପ୍ର ସମୟସୀମା ୬ ସପ୍ତାହ ରହିଛି । ଇଣ୍ଟର୍ନସିପ୍ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ଏନଜିଓ ମାନଙ୍କରେ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି । ଇଣ୍ଟର୍ନସିପ୍ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ରହିଛି । ଏଥିସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରକଳ୍ପ ଉପସ୍ଥାପନ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ ରିପୋର୍ଟ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀମାନଙ୍କୁ କ୍ରେଡ଼ିଟ ପ୍ରଦାନ କରାଯିବା ସହ ଏହାକୁ ତାଙ୍କ ଆକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟରେ ମଧ୍ୟ ସ୍ଥାନିତ କରାଯିବ । ଇଣ୍ଟର୍ନସିପ୍ ସରିବା ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ ।
ଚଳିତ ବର୍ଷ ସର୍ବାଧିକ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ, ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀମାନେ ଇଣ୍ଟର୍ନସିପ୍ରେ ଯୋଗଦେଇଛନ୍ତି । ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପରେ ନିୟୋଜିତ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଏକ୍ସପୋଜର ପାଇପାରିବେ । ଏଥିସହ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ । ବିଭିନ୍ନ ସରକାରୀ ଅନୁଷ୍ଠାନ, ବେସରକାରୀ ଉଦ୍ୟୋଗ, ଏନଜିଓ ମାନଙ୍କରେ ଇଣ୍ଟର୍ନସିପ୍ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ଅବଗତ ହୋଇପାରିବେ, ଯାହାକି ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଓ ଉଦ୍ୟମିତା କ୍ଷେତ୍ରରେ ସହାୟକ ହେବ”, ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି ।