ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ”। ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖା ଦେଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ଆହ୍ୱାନ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣର ସହଜ ସମାଧାନ ଯୋଗ ଏବଂ ପ୍ରାଣାୟାମ ମାଧ୍ୟମରେ ସମ୍ଭବ।ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଛନ୍ତି।ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ ରୁ ୩୦ ମିନିଟ୍ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।