ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ୫ ରନରେ ବିଜୟୀ
ଭୁବନେଶ୍ୱର,୨ । ୧୨: କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ବାଇଲାଟେରାଲ୍ କ୍ରିକେଟ୍ ଶୃଙ୍ଖଳା ଆଜି ଉଦ୍ଘାଟିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, କିଟ୍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ହେଉଥିବା ଏହି କ୍ରିକେଟ୍ ଶୃଙ୍ଖଳାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ । ପ୍ରଥମ ଥର ଲାଗି କିଟ୍ ବିଶ୍ୱବିଦ୍ୟାଳୟରେ ଏଭଳି ବାଇଲାଟେରାଲ୍ କ୍ରିକେଟ୍ ଶୃଙ୍ଖଳା ଆୟୋଜିତ ହେଉଥିବା ବେଳେ ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ଯୋଗ ଦେଇଛନ୍ତି । ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବଛାବଛା ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶୃଙ୍ଖଳାରେ ଡିସେମ୍ବର ୨ ଓ ୩ ତାରିଖରେ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଡିସେମ୍ବର ୫ ତାରିଖରେ ୫୦ ଓଭର ବିଶିଷ୍ଟ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳାଯିବ । କିଟ୍ ପକ୍ଷରୁ ସମସ୍ତ ଖେଳାଳି, କୋଚ ଓ ଅଫିସିଆଲ୍ଙ୍କ ରହିବା ଓ ଆତିଥ୍ୟ ପ୍ରଦାନ କରାଯାଉଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍ ସିଂହ ଶେଖାଓଁ, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘର କାର୍ଯ୍ୟକାରିଣୀ ସଦସ୍ୟ ତଥା ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଚେୟାର ଡାଭିଡ୍ ଆଣ୍ଟନ ସମୁଡ୍ ଓ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଭାରତ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୪୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୪୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୫ ରନ୍ରେ ବିଜୟୀ ହୋଇଥିଲା । ଅଷ୍ଟ୍ରେଲିଆ ଦଳର ଅଧିନାୟକ କାଭି ସାଇନିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଆସନ୍ତା କାଲି ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସକାଳ ୯.୩୦ ଓ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଗୋଟିଏ ଲେଖାଏଁ ଟି-୨୦ ମ୍ୟାଚ୍ ଖେଳାଯିବ ।