ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଅଞ୍ଚଳରେ ଏକ ଆହତ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରୁ ହାତୀଟି ଜଙ୍ଗଲ ବାହାରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି। ଦନ୍ତା ହାତୀଟିର ବାମ ଗୋଡ଼ରେ ଶକ୍ତ ଆଘାତ ଲାଗିଛି, ଯାହାଫଳରେ ତାର ଗତିବିଧି ମନ୍ଥର ହୋଇଯାଇଛି। ରାସ୍ତାଠାରୁ ମାତ୍ର ୨୦୦ ମିଟର ଦୂରରେ ହାତୀଟି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିବାରୁ, ଏହା କେତେବେଳେ ଜନବସତି ମଧ୍ୟକୁ ପଶିଆସିବ ସେ ନେଇ ଲୋକେ ଭୟଭୀତ ଅଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ହାତୀର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ଆହତ ହାତୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ଉଦ୍ୟମ ଚାଲିଛି। ହାତୀର ଗୋଡ଼ରେ କେଉଁ କାରଣରୁ ଆଘାତ ଲାଗିଲା- କୌଣସି ଦୁର୍ଘଟଣା ନା ଅନ୍ୟ କିଛି କାରଣ ରହିଛି, ସେ ନେଇ ବନ ବିଭାଗ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।