କର୍ମଚାରୀଙ୍କୁ ଇନ୍‌ଫୋସିସ୍‌ର କଡା ଚେତାବନୀ, ଅନ୍ୟତ୍ର ଚାକିରି କରୁଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଦେଶର ଅନ୍ୟତମ ଆଇଟି କମ୍ପାନୀ ଇନ୍‌ଫୋସିସ୍ ପକ୍ଷରୁ କର୍ମଚାରୀଙ୍କୁ କଡା ଚେତାବନୀ ଦିଆଯାଇଛି । ଯଦି କମ୍ପାନୀର କୌଣସିି କର୍ମଚାରୀ ଅନ୍ୟତ୍ର ଚାକିରି କରୁଥିବାର ପ୍ରମାଣ ମିଳେ, ତାହାହେଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ଧମକ ଦିଆଯାଇଛି । ଆବଶ୍ୟକ ପଡିଲେ ଏହି କର୍ମଚାରୀଙ୍କୁ ବହିଷ୍କାର ମଧ୍ୟ କରାଯାଇପାରେ ବୋଲି କୁହାଯାଇଛି । କର୍ମଚାରୀ ଆଚରଣ ବିଧି ଅନୁଯାୟୀ କୌଣସି କର୍ମଚାରୀ ଏକାସାଙ୍ଗରେ ଦୁଇଟି ସଂସ୍ଥାରେ କାର୍ଯ୍ୟ କରିପାରିବେ ନାହିଁ । କର୍ମଚାରୀଙ୍କ ବ୍ୟକ୍ତିଗତ ଇ-ମେଲକୁ ପଠାଯାଇଥିବା ନୋଟିସରେ ‘ନୋ ଟୁ-ଟାଇମିଂ ଆଣ୍ଡ୍ ନୋ ମୁନ୍‌ଲାଇଟିଙ୍ଗ୍‌’ ବୋଲି ଉଲ୍ଲେଖ କରାଯାଇଛି । କର୍ମଚାରୀ ଜଣକ ଯଦି ଗୋଟିଏ ସଂସ୍ଥାରେ କାର୍ଯ୍ୟକରି ଅନ୍ୟତ୍ର କାର୍ଯ୍ୟ କରୁଥାନ୍ତି, ତାହାହେଲେ ତାକୁ ‘ମୁନ୍‌ଲାଇଟିଙ୍ଗ୍‌’ କୁହାଯାଉଥିବାବେଳେ ଅଫିସ କାର୍ଯ୍ୟ ନିର୍ଘଣ୍ଟ ସମୟରେ ବାହାର କାର୍ଯ୍ୟ କରିବା ପ୍ରସଙ୍ଗକୁ ‘ଟୁ ଟାଇମିଂ’ ଆଖ୍ୟା ଦିଆଯାଇଛି । ଏହାକୁ ଦ୍ୱୈତ ନିଯୁକ୍ତି କୁହାଯାଉଛି । କମ୍ପାନୀରେ ନିଯୁକ୍ତି ସମୟରେ ଦିଆଯାଇଥିବା ଅଫର ଲେଟରରେ ଦ୍ୱୈତ ନିଯୁକ୍ତିକୁ ସମ୍ପୂର୍ଣ୍ଣ ମନା କରାଯାଇଥିବାବେଳେ କେତେକ କର୍ମଚାରୀ ଏହାକୁ ଅମାନ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି । କୋଭିଡ୍ ସମୟରେ ଇନ୍‌ଫୋସିସ୍‌ର ଅଧିକାଂଶ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍ ହୋମ୍‌’ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହି କର୍ମଚାରୀମାନେ ଅନ୍ୟ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବାର ପ୍ରମାଣ ମିଳିଥିଲା । ତେଣୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଉଭୟ ସଂସ୍ଥା ଓ କର୍ମଚାରୀଙ୍କ ପାଇଁ କ୍ଷତିକାରକ ବୋଲି କୁହାଯାଇଛି । ଇତିପୂର୍ବରୁ ୱିପ୍ରୋ ଓ ଟିସିଏସ୍ ଭଳି ଆଇଟି କମ୍ପାନୀ ଦ୍ୱୈତ ନିଯୁକ୍ତି ଉପରେ କଟକଣା ଲାଗୁ କରିସାରିଛନ୍ତି ।

Infosys has issued a stern warning to its employees