ଭାରତ-ଚୀନ ତ୍ରୟୋଦଶ ସାମରୀକ ଅଧିକାରୀ ବୈଠକ ଶେଷ

ଲଦାଖ ରୁ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉପରେ ଭାରତ-ଚୀନ ମଧ୍ୟରେ ତ୍ରୟୋଦଶ ସାମରୀକ ଅଧିକାରୀସ୍ତରୀୟ ବୈଠକ ଶେଷ ହୋଇଛି । ବାସ୍ତବ ନିୟନ୍ତ୍ରଣ ରେଖା ର ଚୀନ ପାଖ ଚୁସିଲ ମୋଲ୍ଡୋ ରେ ସାଢ଼େ ୮ ଘଣ୍ଟା ଧରି ଆଲୋଚନା ବୈଠକ ହୋଇଥିଲା। ସନ୍ଧ୍ୟା ୭ଟାରେ ଶେଷ ହୋଇଥିବା ବୈଠକରେ ଦୀର୍ଘ ୧୭ ମାସ ଧରି ପୂର୍ବ ଲଦାଖରେ ଚାଲିଥିବା ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ହୋଇଥିଲା । ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନାନ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ଚୀନ ପକ୍ଷରୁ ମେଜର ଜେନେରାଲ ଲିୟୁ ଲୀନ ଦଳ ଆଲୋଚନା କରିଥିଲେ I
ସେନା ମୁଖ୍ୟ ଜେନେରାଲ ଏମଏମ ନାରଭାଣେ ପୂର୍ବରୁ କହିଥିଲେ ଯେ, ଚୀନ ଏହି ସେକ୍ଟରରେ ନିଜ ସୀମାରେ ଭିତ୍ତିଭୂମି ନିର୍ମାଣ କରୁଛି । ସେମାନେ ସେଠାରେ ରହିବା ନେଇ ଆଭାସ ମିଳୁଥିଲା। ନିକଟରେ ଉତ୍ତରାଖଣ୍ଡର ବାରାହୋଟି ସେକ୍ଟରେ ଏବଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ଚୀନ ସେନା ସହ ମୁହାମୁହିଁ ପରିସ୍ଥିତି ହେବାରୁ ଉପରୋକ୍ତ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଉଭୟ ପକ୍ଷର ପକ୍ଷର କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଥିବା କୁହାଯାଉଛି।
ଗତ ମାସରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ପ୍ରାୟ ୧୦୦ ଜଣ ସୈନ୍ୟ ବାରାହୋଟି ସେକ୍ଟରରେ LACକୁ ଉଲ୍ଲଂଘନ କରିଥିଲେ। ଗତ ଅଗଷ୍ଟ ୩୦ରେ ମଧ୍ୟ ଚୀନ ସେନା ସମାନ କାର୍ଯ୍ୟକଳାପ କରିଥିଲା। କିଛି ଘଣ୍ଟା ରହିବା ପରେ ପୁଣି ଚୀନ ସେନା ପଛକୁ ହଟିଥିଲା। ଗତ ଜୁଲାଇ ୩୧ ରେ ଉଭୟ ପକ୍ଷ ମଧ୍ୟ ରେ ଦ୍ୱାଦଶ ପର୍ଯାୟ ଆଲୋଚନା ହୋଇଥିଲା I ଏହାପରେ ଗୋଗ୍ରା ର ପେଟ୍ରୋଲିଙ୍ଗ ପଏଣ୍ଟ ୧୭-ଏ ରୁ ଚୀନ ସେନା ପଛକୁ ହଟିଥିଲା I ଏବେ ହଟସ୍ପ୍ରିଙ୍ଗ ତଥା ପେଟ୍ରୋଲିଙ୍ଗ ପଏଣ୍ଟ ୧୫ ରୁ ସେନା ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ ଥିଲା I

Comments (0)
Add Comment