ଆଇଏମ୍‌ଏ ଓ ଟିଏନ୍‌ଓଆଇକୁ ମିଳିବ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ଓ ଟ୍ରେନ୍‌ଡ ନର୍ସେସ୍ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆ (ଟିଏନ୍‌ଓଆଇ)କୁ ୨୦୨୨ର ଇନ୍ଦିରା ଗାନ୍ଧି ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପୁରସ୍କାର ମିଳିବ । ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ଦୁଇ ସଂସ୍ଥାକୁ ୨୦୨୦ ଏବଂ ୨୦୨୧ କୋଭିଡ୍ ମହାମ।।ରୀ ସମୟରେ ଲୋକଙ୍କ ସେବା ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଟ୍ରଷ୍ଟ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି, କୋଭିଡ୍ ମହାମାରୀର ମୁକାବିଲା ପାଇଁ କିପରି ଡାକ୍ତର, ନର୍ସ, ପାରାମେଡିକ୍ସ, କର୍ମଚାରୀ ଏବଂ ସ୍ୱୟଂସେବକ ଯେପରି ଆଗେଇ ଆସିଥିଲେ ତାହା ଭାରତରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏହି ଲୋକମାନେ ନିଜ କଥା ଚିନ୍ତା ନକରି ଦୀର୍ଘ ସମୟ ଧରି କାମ କରିଥିଲେ । ଏହି ଅବସରରେ ବହୁ ଡାକ୍ତର ଏବଂ ନର୍ସ ଜୀବନ ହରାଇଥିଲେ । ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ କେତେ ମୂଲ୍ୟ ଦେବାକୁ ପଡ଼ିବ ଏହାର ପରବାୟ ନକରି ନିଜକୁ ବିପଦରେ ପକାଇ ଦୀର୍ଘ ସମୟ ଧରି ସେମାନେ ଅହରହ କରୋନା ସଂକ୍ରମିତଙ୍କ ସେବା କରିଥିଲେ । ସେମାନଙ୍କ ଯୋଗଦାନ, ପରାକାଷ୍ଠା, ପ୍ରତିଶ୍ରୁତିବଦ୍ଧତା ଏବଂ ଦୃଢ଼ତା ମାନ୍ୟତା ଯୋଗ୍ୟ ବୋଲି ବୟାନରେ କୁହାଯାଇଛି । ପୂର୍ବତନ ସିଜେଆଇ ଟିଏସ୍ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ପୁରସ୍କାର ଜୁରୀ ୨୦୨୦ ଏବଂ ୨୦୨୧ରେ ମହାମାରୀର ସବୁଠୁ ଖରାପ ସମୟରେ ଭାରତର କୋଭିଡ୍ ଯୋଦ୍ଧାଙ୍କୁ ସେମାନଙ୍କ କାର୍ଯ୍ୟର ପ୍ରଶଂସା ନିମନ୍ତେ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଚିକିତ୍ସାକର୍ମୀଙ୍କ କୌଣସି ଜାତୀୟ ପ୍ରତିନିଧିତ୍ୱ ନଥିବାରୁ ଏହି ପୁରସ୍କାର ସ୍ୱୀକାର ପାଇଁ ଭାରତରେ ଡାକ୍ତର ଏବଂ ନର୍ସଙ୍କ ସବୁଠୁ ବ୍ୟାପକ ପ୍ରତିନିଧିତ୍ୱ କରୁଥିବା ଦୁଇ ସଂଗଠନକୁ ଜୁରୀ ଆମନ୍ତ୍ରଣ କରୁଛନ୍ତି ।