ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ଶୁଟର ନୀରୁ ଧଣ୍ଡା ରଚିଛନ୍ତି ନୂଆ ଇତିହାସ। ମହିଳା ଟ୍ରାପ୍ ଶୁଟିଂ ବ୍ୟକ୍ତିଗତ ଇଭେଣ୍ଟରେ ନୀରୁ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାସହ ମହିଳା ଟ୍ରାପ୍ ଶୁଟିଂ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଗୌରବ ଅର୍ଜନ କରିଛନ୍ତି। ଫାଇନାଲ୍ ମୁକାବିଲାରେ ନୀରୁ ମୋଟ ୩୦ଟି ଟାର୍ଗେଟ୍ରୁ ୨୮ଟି ସଫଳ ଲକ୍ଷ୍ୟ ଭେଦ କରି ଏସୀୟ କ୍ରୀଡ଼ାରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଏହି ଇଭେଣ୍ଟରେ ଚୀନ୍ର ୟୁନୋଙ୍ଗ ସୁନ୍ ୨୬ ସ୍କୋର୍ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।