ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ହେବେ ଦୌଡ଼ ରାଣୀ ପି.ଟି. ଉଷା,୧୦ରେ ହେବ ଘୋଷଣା

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ ଦୌଡ଼ ରାଣୀ ପିଟି ଉଷା ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି I ବିନା ପ୍ରତିଦ୍ୱନ୍ଦିରେ ୯୫ ବର୍ଷର ଇତିହାସରେ ପି ଟି ଉଷା ଆଇଓଏର ଅଧ୍ୟକ୍ଷ ପଦବୀ ସମ୍ଭାଳିବାରେ ପ୍ରଥମ ଅଲମ୍ପିଆନ୍‌ ହେବା ସହ ପ୍ରଥମ ମହିଳା ଅଧ୍ୟକ୍ଷ ହେବେ I

ଏହି ନିର୍ବାଚନେର ଉପାଧ୍ୟକ୍ଷ(ମହିଳା), ସଂଯୁକ୍ତ ସଚିବ(ମହିଳା) ପଦ ପାଇଁ ମୁକାବିଲା ହେବ। କାର୍ଯ୍ୟକାରିଣୀ ପରିଷଦର ଚାରି ସଦସ୍ୟଙ୍କ ପାଇଁ ୧୨ ଆଶାୟୀ ମଇଦାନରେ ଅଛନ୍ତି। ଆଇଓଏେର ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇ ଉପାଧ୍ୟକ୍ଷ(ଜଣେ ପୁରୁଷ ଏବଂ ମହିଳା), ଜଣେ କୋଷାଧ୍ୟକ୍ଷ, ଦୁଇ ସଂଯୁକ୍ତ ସଚିବ (ଜଣେ ପୁରୁଷ ଏବଂ ଜଣେ ମହିଳା), ଛଅ ଅନ୍ୟ କାର୍ଯ୍ୟକାରୀ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ହେବ। କାର୍ଯ୍ୟକାରୀ ପରିଷଦର ଦୁଇ ସଦସ୍ୟ (ଜଣେ ପୁରୁଷ ଏବଂ ଜଣେ ମହିଳା) ଆଥଲିଟ୍ ଆୟୋଗଙ୍କ ପ୍ରତିନିଧି ରହିବେ। ଗତ ରବିବାର ଦିନ ଆଇଓଏ ଅଧ୍ୟକ୍ଷ ପଦବୀ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା । ଏହି ପଦବୀ ପାଇଁ କେବଳ ପି.ଟି ଉଷା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ଅଧ୍ୟକ୍ଷ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ତେବେ ଆଇଓଏର ବିଭିନ୍ନ ପଦବୀ ଲାଗି ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହି ସବୁ ପଦବୀ ପାଇଁ ନିର୍ବାଚନ ହେବ I

ପିଲଭୁଲାକାଣ୍ଡି ଠେକେରାପରାମ୍ବିଲ୍‌ ଉଷା ‘ପାୟୋଲି ଏକ୍ସପ୍ରେସ’ ଓ ‘ଦୌଡ଼ ରାଣୀ’ ଭାବେ ପରିଚିତ । ସେ ଜଣେ ଅବସର ପ୍ରାପ୍ତ ଭାରତୀୟ ଦୌଡ଼କୁଦ ଖେଳାଳି । ୧୯୭୯ ମସିହାରୁ ସେ ଭାରତୀୟ ଆଥ୍ଲେଟିକ୍ସ ସହ ଜଡ଼ିତ । ୧୯୮୨ରୁ ୧୯୯୪ ମସିହା ପର୍ଯ୍ୟନ୍ତ ଏସିଆନ୍‌ ଗେମ୍ସରେ ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୧ଟି ପଦକ ହାସଲ କରିଥିଲେ ପିଟି ଉଷା । ସେ ୧୯୮୬ ମସିହାରେ ସିଓଲ ଏସିଆନ୍‌ ଗେମ୍ସରେ ୪ଟି ଯାକ ସ୍‌ର୍ଣ୍ଣ ପଦକ ଜିତିଥିଲେ । ୧୯୮୩ରୁ ୧୯୯୮ ମସିହା ମଧ୍ୟରେ ଏସିଆନ ଚାମ୍ପିୟନସିପରେ ମୋଟ ୨୩ଟି ପଦକ ବିଜେତା ହୋଇଥିଲେ ପିଟି ଉଷା । ବର୍ତ୍ତମାନ ସେ କେରଳର କୋଝିକୋଡ୍‌ ନିକଟସ୍ଥ କୋଇଲାଣ୍ଡିରେ, ଉଷା ସ୍କୁଲ୍‌ ଅଫ୍‌ ଆଥ୍ଲେଟିକ୍ସ ଚଲାଉଛନ୍ତି ।