ଏସିଆନ ଗେମ୍ସରେ ପଞ୍ଚମଥର ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍:ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାପାନର ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଏସୀୟ କ୍ରୀଡ଼ା ୨୦୨୬ ହକି ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ସହ ଭାରତୀୟ ଟିମ୍ ଲସ ଏଞ୍ଜଲେସ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଉଲ୍ଲେଖନୀୟ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ଓ ପୁରୁଷ ଉଭୟ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ମହିଳା ଟିମ୍ ସ୍ଵର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏସୀୟ କ୍ରୀଡ଼ାରେ ଭାରତ ୨୧ଟି ସ୍ଵର୍ଣ୍ଣ ପଦକ ଜିତି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଫାଇନାଲ୍ ମୁକାବିଲାରେ ଭାରତ ଏକତରଫା ବିଜୟ ହାସଲ କରିଛି। ମାଲେସିଆର ଖେଳାଳି ମ୍ୟାଚରେ ଟକ୍କର ଦେଇ ପାରି ନ ଥିଲେ। ଖେଳର ପ୍ରଥମ କ୍ଵାର୍ଟରରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ୧୧ତମ ମିନିଟରେ ପ୍ରଥମ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ ହାସଲ କରାଇଥିଲେ। ଏହା ପରେ ୧୪ତମ ମିନିଟରେ ମାଲେସିଆ ମ୍ୟାଚକୁ ବରାବର କରିଥିଲା। ହେଲେ ଦ୍ଵିତୀୟ କ୍ଵାର୍ଟରରେ ଭାରତ ଆହୁରି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଖେଳର ୨୩ତମ ମିନିଟରେ ଗୁଜରାଜ ସିଂ ଗୋଲ୍ ଦେଇ ମ୍ୟାଚରେ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ଵାର୍ଟର ଖେଳର ୫୨ତମ ମିନିଟରେ ହାର୍ଦ୍ଦିକ, ଚତୁର୍ଥ କ୍ଵାର୍ଟରର ୫୪ତମ ଏବଂ ୫୭ତମ ମିନିଟରେ ହରମନପ୍ରୀତ ସିଂ ଆଉ ଏକ ଗୋଲ୍ ଦେଇ ଭାରତକୁ ୫-୧ ଗୋଲରେ ଜିତାଇଛନ୍ତି। ଏହି ବିଜୟ ପରେ ଭାରତୀୟ ଦଳରେ ସାମିଲ ଦୁଇ ଓଡ଼ିଆ ଖେଳାଳିଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟେଲିଫୋନ ଯୋଗେ ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ମୋହନ । ଅମିତଙ୍କ ଡିଫେନ୍ସିଭ ଷ୍ଟାଇଲ ଓ ଶିଳାନନ୍ଦଙ୍କ ଆଟାକିଂ ଷ୍ଟାଇଲରେ ଗୋଲ୍ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।