୬ ମାସ ମଧ୍ୟ ରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିବ ଭାରତ

ଏନସିଡିସିର ନିର୍ଦ୍ଦେଶକ ସୁଜିତ ସିଂହ ଏକ ଆଶ୍ୱସ୍ତକର ଖବର ଦେଇ କହିଛନ୍ତି, ଆସନ୍ତା ୬ ମାସ ମଧ୍ୟରେ କୋଭିଡ୍ -୧୯ ମହାମାରୀ ଭାରତରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିବ। ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣରର ସ୍ତରର ସଂକ୍ରମଣ ସ୍ଥିତି ରହିବ। ତେଣୁ କରୋନା ବିରୋଧରେ ଜାରି ଲଢ଼େଇ ଆହୁରି ସହଜ ହେବ। ଦୀର୍ଘ ୨ ବର୍ଷ ହେଲା ମହାମାରୀ କରୋନା ସହ ଭାରତବାସୀ କରୁଥିବା ଯୁଦ୍ଧରୁ ଆଶ୍ୱସ୍ତି ମିଳିବ I
ସେହିପରି କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଏକାକୀ ଦେଶରେ ତୃତୀୟ ଲହର ସଂକ୍ରମଣକୁ ବୃଦ୍ଧି କରିପାରିବ ନାହିଁ। ଭାରତରେ ଚାଲିଥିବା ଟିକାକରଣରୁ କରୋନା ବିରୋଧରେ ସୁରକ୍ଷା ମିଳିବ। ଯଦି ମୃତ୍ୟୁହାର ନିୟନ୍ତ୍ରଣରେ ରହିବ, ତା’ହେଲେ ରୋଗକୁ ଆମେ ବେଶ ସହଜରେ ମୁକାବିଲା କରିପାରିବା। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ରୋଗର ଗୁରୁତର ପ୍ରଭାବ ପଡ଼ିବ ନାହିଁ। ଟିକା ହେଉଛି କରୋନା ବିରୋଧରେ ସବୁଠାରୁ ବଡ଼ ସୁରକ୍ଷା କବଚ।
ବର୍ତ୍ତମାନ ୭୫ କୋଟି ଡୋଜ୍‌ ଟିକାକରଣ ହୋଇଛି। ଯଦି ଟିକାର ପ୍ରଭାବ ୭୦% ରହୁଛି, ତା’ହେଲେ ପ୍ରାୟ ୫୦ କୋଟି ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ଟିକାର ଗୋଟିଏ ଡୋଜ୍‌ ୩୦ରୁ ୩୧% ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ତେଣୁ ଯେଉଁ ୩୦ କୋଟି ଲୋକ ଗୋଟିଏ ଲେଖାଏ ଡୋଜ୍‌ ନେଇଛନ୍ତି, ସେମାନଙ୍କ ଶରୀରରେ ମଧ୍ୟ କିଛି ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି।
ଟିକା ନେବା ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ କୋଭିଡର ଉଚିତ ବ୍ୟବହାର କରିବାକୁ ପଡ଼ିବ। କାରଣ ଟିକା ନେବା ପରେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି। ହେଲେ ଏହା ୨୦ରୁ ୩୦% ଲୋକଙ୍କ କ୍ଷେତ୍ରରେ ଦେଖାଯିବ। ସମସ୍ତଙ୍କ କ୍ଷେତ୍ରରେ ସମାନ ଘଟଣା ଘଟି ନପାରେ ବୋଲି ଶ୍ରୀ ସିଂହ କହିଛନ୍ତି।
ସେ କହିଛନ୍ତି, କରୋନା ନୂଆ ଭ୍ୟାରିଏଣ୍ଟ ପାଇଁ ଏହି ସଂକ୍ରମଣ ହେଉଛି। ବୈଜ୍ଞାନିକମାନେ କହିଛନ୍ତି, ଟିକାର ଉଭୟ ଡୋଜ ନେବାର ୭୦ରୁ ୧୦୦ ଦିନ ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏହାଦ୍ୱାରା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାପିବାର ଆଶଙ୍କା ରହିଛି।
କିନ୍ତୁ କରୋନାର କେବଳ ଗୋଟିଏ ଭ୍ୟାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରିବ ନାହିଁ। ସବୁକିଛି ଲୋକଙ୍କ ବ୍ୟବହାର ଓ ଆଣ୍ଟିବଡି ଉପରେ ନିର୍ଭର କରୁଛି। ଆଗକୁ ପାର୍ବଣ ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି । ତେଣୁ ପାର୍ବଣ ସମୟ ରେ ସମସ୍ତଙ୍କୁ ସୁରକ୍ଷିତ ରହିବାପାଇଁ କୋଭିଡ ଗାଇଡ଼ଲାଇନ କୁ କଡାକଡି ଭାବରେ ପାଳନ କରିବାକୁ ଶ୍ରୀ ସିଂହଙ୍କ ପରାମର୍ଶ ଦେଇଛନ୍ତି I

Comments (0)
Add Comment