ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୨(ପି.ଏନ.ଏ.) :ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସର୍ବତ୍ତୋମ ପଦ୍ଧତିକୁ ଗ୍ରହଣ କରିବା ଉପରେ ଆମେ ଅଧିକ ଗୁରୁତ୍ୱ ଦେବା ସହ ସବୁ ସ୍ତରରେ ଶିକ୍ଷାର ଗୁଣାତ୍ମକ ବିକାଶ କରିବା ପାଇଁ ପ୍ରଚେଷ୍ଟା କରୁଅଛୁ । ସେହିପରି ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ବିଶ୍ୱକୁ ଦକ୍ଷ ମାନବ ସମ୍ବଳ ପ୍ରଦାନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କ୍ଷମତାକୁ ସଶକ୍ତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ୟୁଏସ-ଇଣ୍ଡିଆ ଷ୍ଟାଟେଜିକ୍ ପାର୍ଟନରସିପ୍ ଫୋରମ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଦେଶରେ ଶିକ୍ଷା ଏବଂ ଦକ୍ଷତା ବିକାଶ, ଭାରତର ଭୋଗୋଳିକ ସମ୍ଭାବନା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି । ଜାତୀୟ ଶିକ୍ଷା ନୀତି 2020 ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ, ଶିକ୍ଷାର ସବୁ କ୍ଷେତ୍ରରେ ନୂଆ ଏବଂ ଅଭିନବ ମଡେଲ ପ୍ରସ୍ତୁତ କରିବା ଏବଂ ଭାରତର ଯୁବକଙ୍କୁ ଘରୋଇ ଏବଂ ବିଶ୍ୱ ଚ୍ୟାଲେଞ୍ଜକୁ ସମାଧାନ କରିବା ପାଇଁ ବୈଶ୍ୱିକ ନାଗରିକ ଭାବରେ ପରିଣତ କରିବା ଦିଗରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ ଆଗାମୀ 25 ବର୍ଷ ଭାରତ ଅନେକ ସୁଯୋଗର ଅଧିକାରୀ ହେବ । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କ୍ଷମତା ବୃଦ୍ଧି, ଭାରତକୁ ଏକ ସୁଦୃଢ଼ ଜ୍ଞାନ ଆଧାରିତ ସମାଜ ଭାବରେ ପ୍ରତିଷ୍ଠା କରିବା, ଜାତୀୟ ଶିକ୍ଷା ନୀତିର କଳ୍ପନାକୁ ଅନୁଭବ କରିବା ଏବଂ ନୂଆ ଉନ୍ମାଦନା ସହ ଏକବିଂଶ ଶତାବ୍ଦୀକୁ ଗ୍ରହଣ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଏବଂ ନୀତି ନିର୍ଦ୍ଧାରକମାନେ ମିଳିତ ଭାବରେ କାମ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।