ବିଜୟ ପଥରେ ଭାରତ; ଜଣାନ୍ତୁ ଏହା କେତେ ତମ ବିଜୟ ?

ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ  ୱିକେଟ ହରାଇ ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭରାତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଆଜିର ମ୍ୟାଚ ଜିତିବା ସହ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଏଥିସହ ୨୦୧୯ର  ବଦଲା ନେଇଛି ଭାରତ ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ସର୍ବାଧିକ ୭ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭାରତ ପକ୍ଷରୁ ବ୍ୟାଟିଂରେ, ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ  ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ  ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ ।

ଭାରତ ପୂର୍ବରୁ ୧୯୮୩, ୨୦୦୩ ଓ ୨୦୧୧ରେ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ବକପ ସେମିଫାଇନାଲରେ ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି। ୨୦୧୯ ବିଶ୍ବକପର ସେମିଫାଇନାଲରେ ଭାରତ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଉକ୍ତ ପରାଜୟର ପ୍ରତିଶୋଧ ଭାରତ ୪ବର୍ଷ ପରେ ନେଇଛି। ଚଳିତ ବିଶ୍ବକପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୩ୟ ଥର ପାଇଁ ୫ଟି ୱିକେଟ ନେବାରେ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତ ଦିନିକିଆ ବିଶ୍ବକପରେ କ୍ରମାଗତ ଦଶମ ବିଜୟ ହାସଲ କରିବା ସହିତ ସେମିଫାଇନାଲରେ ସର୍ବାଧିକ ସ୍କୋର କରିଛି। ପୂର୍ବରୁ ୨୦୧୫ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩୨୮ରନ କରିଥିଲା। ଅଷ୍ଟ୍ରେଲିଆର ଉକ୍ତ ସେମିଫାଇନାଲର ସର୍ବାଧିକ ସ୍କୋର ୩୨୮କୁ ଆଜି ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚ୍‌ରେ ଅତିକ୍ରମ କରିବା ସହିତ ଭାରତ ୪ ୱିକେଟରେ ୩୯୭ରନ କରିଥିଲା।