ଭାରତ ଯୋଡ଼ୋ ଯାତ୍ରା

ଭୁବନେଶ୍ୱର: ରାଜ୍ୟରେ ଭାରତଯୋଡ ପଦଯାତ୍ରା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ପଦଯାତ୍ରା ପାଇଁ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ଆଲୋଚନା କରିି ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଆଉ ବୈଠକ ପରେ ବିଜେଡି ଓ ବିଜେପିର ଦଳର ସମ୍ପର୍କକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ରବିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ତଥା ଏଆଇସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତକୁ ଯୋଡ଼ି ରଖିବା ଯାତ୍ରାର ଉଦ୍ଦେଶ୍ୟ । ରାହୁଲ ଗାନ୍ଧୀଙ୍କର ଭାରତକୁ ଯୋଡ଼ିବା ପାଇଁ ଆବେଗ ଓ ଉଦ୍‌ବେଗ ସମ୍ପର୍କରେ ରମେଶ କହିଥିଲେ, ରାହୁଲ କହିଛନ୍ତି ଏ ଯାତ୍ରା ହେଉଛି ମୋର ଏକ ତପସ୍ୟା । ମୋଦୀ ଓ ବିଜେପିର ଜନବିରୋଧୀ ନୀତି ପାଇଁ ଭାରତ ଆଜି ରସାତଳଗାମୀ ହୋଇପଡ଼ିଛି । ବେରୋଜଗାର, ଦାରିଦ୍ର୍ୟ, ଦରବୃଦ୍ଧି, ଜିଏସ୍‌ଟି ଏବଂ ଦୁଇ ପୁଞ୍ଜିପତିଙ୍କୁ ରାଷ୍ଟ୍ରର ସମ୍ପତ୍ତିକୁ ଦାନ ଆଦି ସମ୍ପର୍କରେ ରମେଶ ଉଲ୍ଲେଖ କରିଥିଲେ । ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡ଼ିଶା ସରକାର ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି । ନରେନ୍ଦ୍ର ମୋଦୀ ଯେମିତି କହୁଛନ୍ତି ନବୀନ ସେମିତି ପରିଚାଳିତ ହେଉଛନ୍ତି । ରାଜ୍ୟରେ ଯଦିଓ ବିଜେଡି-ବିଜେପି ଲଢୁଛନ୍ତି ହେଲେ ଦିଲ୍ଲୀରେ ଏକାଠି ହୋଇଯାଆନ୍ତି ଏହି ଦୁଇ ଦଳ । ବିଜେଡି ସାଂସଦ ମାନେ ମଧ୍ୟ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି । ତେଣୁ ଏହି ଯାତ୍ରା ଓଡ଼ିଶାରେ ଉଭୟ ବିଜେଡି ଏବଂ ବିଜେପି ବିରୋଧରେ ହେବ । ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମର ସୂଚନା ଦେଇ ସେ କହିଥିଲେ, ଏହା କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ; ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ୩୫୭୧ କି.ମି. ଯାତ୍ରା । ଏହି ଯାତ୍ରା ପାଖାପାଖି ୧୫୦ ଦିନରୁ ଊର୍ଦ୍ଧ୍ୱ ସମୟ ଚାଲୁରହିବ । ଭାରତବଷର୍ର ୧୨ ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଗତିକରିବ । ଏଥିରେ ଲକ୍ଷ ଲକ୍ଷ ଲୋକ ନିଜକୁ ସାମିଲ କରି ଚାଲିଛନ୍ତି । ପ୍ରତିଦିନ ୨୩ କି.ମି ଯାତ୍ରା କରାଯାଉଛି । ଯାତ୍ରାବେଳେ ରାହୁଲ ଗାନ୍ଧୀ କୃଷକ, ଶ୍ରମିକ, ମତ୍ସ୍ୟଜୀବୀ ଓ ସମାଜର ବିଭିନ୍ନ ବର୍ଗଙ୍କ ସହିତ ଆଲୋଚନା କରୁଛନ୍ତି । ଏପରିକି ବହୁମାତ୍ରାରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ବୁଦ୍ଧିଜୀବୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ସହିତ ଆଲୋଚନା କରୁଛନ୍ତି । ଓଡ଼ିଶା କାର୍ଯ୍ୟକ୍ରମ ଅକ୍ଟୋବର ୩୧ ତାରିଖ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧଦିବସରେ ଭୁବେନଶ୍ୱରସ୍ଥିତ ଇନ୍ଦିରାପାର୍କ ଠାରୁ ଶୁଭାରମ୍ଭ କରାଯିବ । ଓଡ଼ିଶାରେ ଏକ ଯୁଗଳବନ୍ଦି ସରକାର ଚାଲିଛି । ଏମାନେ ଏଠି ଛଳନା କରୁଥିଲା ବେଳେ ଦିଲ୍ଲୀରେ ଏକାଠି । ଏହି ଦୁଇଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠ୍‌ବସ ହୁଅନ୍ତି । ଏହି ପରିକ୍ରମା କାର୍ଯ୍ୟକ୍ରମ ଓଡ଼ିଶାରେ ପରିବର୍ତ୍ତନ ଆଣିବ । ‘ଭାରତ ଯୋଡ଼ୋ’ ଯାତ୍ରାର ଅଧ୍ୟକ୍ଷ ଦିଗ୍‌ବିଜୟ ସିଂ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏହା ମାଧ୍ୟମରେ କଂଗ୍ରେସ ଭାରତବର୍ଷର ପ୍ରତ୍ୟେକ ପରିବାର ପାଖରେ ବାର୍ତ୍ତା ପହଞ୍ଚାଇବ । ତତ୍ ସହିତ ଶାନ୍ତି, ସଂହିତ, ସଦ୍‌ଭାବନା ଓ ଭାଇଚାରାକୁ କାୟାମ ରଖିବା ପାଇଁ ଏହି ଯାତ୍ରାର ଉଦ୍ଦେଶ୍ୟ । ବୁଥ୍ ରୁ ପ୍ରେଦଶ ପର୍ଯ୍ୟନ୍ତ ଦାୟୀତ୍ୱେର ଥିବା କଂଗ୍ରେସ ପଦାଧିକାରୀ ମୋନ କେତାେଟି ପରିବାର କୁ ଏହି ଯାତ୍ରା ସହିତ ଯୋଡ଼ିଛନ୍ତି ତାର ମଧ୍ୟ ତଥ୍ୟ ରହିବ ବୋଲି କହିଛନ୍ତି ।